Categories: ଜାତୀୟ

ଅପରେଶନ୍‌ ପ୍ରହାର-୩: ଟାର୍ଗେଟରେ ହିଡମା ସମେତ ୮ କମାଣ୍ଡର

ବିଜାପୁର,୫।୪: ମାଓବାଦୀଙ୍କ ଆକ୍ରମଣରେ ୨୨ ଜଣ ଯବାନ ଶହୀଦ୍‌ ହୋଇଛନ୍ତି। ଏବେ ମାଓବାଦୀଙ୍କ ମୁକାବିଲା ଲାଗି ଅପରେଶନ୍‌ ପ୍ରହାର-୩ ପାଇଁ ଯୋଜନା ପ୍ରସ୍ତୁତି କରାଯାଉଛି। ଏହି ଅପରେଶନ୍‌ରେ ବିଜାପୁର ଆକ୍ରମଣର ମାଷ୍ଟର ମାଇଣ୍ଡ୍‌ ହିଡମା ସମେତ ୮ ମାଓବାଦୀ କମାଣ୍ଡରଙ୍କୁ ଟାର୍ଗେଟରେ ରଖାଯାଇଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ମାଓବାଦୀଙ୍କ ବିରୋଧରେ କଡ଼ା ରଣନୀତି ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ମାଓବାଦୀ ବିରୋଧି ଅପରେଶନ୍‌ରେ ଗୋଇନ୍ଦା ରିପୋର୍ଟ ସହିତ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯିବା ଲାଗି ଯୋଜନା କରାଯାଇଛି। ପ୍ରସ୍ତୁତ ହୋଇଥିବା ମାଓବାଦୀ କମାଣ୍ଡରଙ୍କ ତାଲିକାରେ ହିଡମାଙ୍କର ନାମ ରହିଛି। ହିଡମା ସୁକମା ଜଙ୍ଗଲରେ ମିଳିତ ସୁରକ୍ଷାକର୍ମୀଙ୍କ ଅପରେଶନ୍‌ରେ ବାଧା ସୃଷ୍ଟି କରୁଥିବା ଜଣାପଡ଼ିଛି। ତାଲିକାରେ ଅନ୍ୟମାନଙ୍କ ମଧ୍ୟରେ ମାଓବାଦୀ କମାଣ୍ଡର କମଲେଶ, ସାକେତ ନୁରେତି, ଲାଲୁ ଦାନଦାମି, ମଙ୍ଗେଶ ଗୋଣ୍ଡା, ରାମ ଜୀ, ମିଲିଟ୍ରି ଏବଂ ମଲେଶ ଆଦିଙ୍କ ନାମ ରହିଛି। ଏମାନଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ ଲାଗି ଯୋଜନା ଆରମ୍ଭ ହୋଇଛି।

Share