‘ଅପରେଶନ୍‌ ସ୍ୟାଣ୍ଡ୍‌ ଷ୍ଟର୍ମ’

ବାଲେଶ୍ୱର ଅଫିସ/ବସ୍ତା (ଡି.ଏନ.ଏ.),୭।୨: ବାଲେଶ୍ୱର ଜିଲା ପୋଲିସ ପକ୍ଷରୁ ବାଲିଚୋରାଚାଲାଣକାରୀଙ୍କ ବିରୋଧରେ ଆରମ୍ଭ ହୋଇଥିବା ‘ଅପରେଶନ୍‌ ସ୍ୟାଣ୍ଡ୍‌ ଷ୍ଟର୍ମ’ର ତୃତୀୟ ଦିନ ସୁଦ୍ଧା ନୀଳଗିରି ଅଞ୍ଚଳର ସୋନ ନଦୀରୁ ବେଆଇନ ବାଲି ଉତ୍ତୋଳନ କରି ୬ଟି ବାଲି ବୋଝେଇ ଟ୍ରାକ୍ଟର ସହ ୬ଜଣ ଗିରଫ କରାଯାଇଛି। ଖଇରା, ଖନ୍ତାପଡ଼ା ଓ ସିମୁଳିଆ ପୋଲିସ ପକ୍ଷରୁ ୩ଟି ବାଲି ବୋଝେଇ ଡମ୍ପର ସହ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେହିପରି ବସ୍ତା ଥାନା ପୋଲିସ ଏକ ଦଶଚକିଆ ବେଆଇନ ବାଲି ଡମ୍ପରକୁ ଜବତ କରିଛି।
କୁନାଲ ମୋତିରାମ ଚଭନ ଏବଂ ତାଙ୍କ ଡ୍ରାଇଭରଙ୍କୁ ବାଲି ଚୋରାଚାଲାଣକାରଙ୍କ ସଂଘବଦ୍ଧ ଆକ୍ରମଣ ପରେ ସହଦେବଖୁଣ୍ଟା ପୋଲିସ ସ୍ଥାନୀୟ ଅଞ୍ଚଳରେ ଚଢ଼ାଉ କରି ୧୧ ଜଣ ମହିଳାପୁରୁଷଙ୍କୁ ଗିରଫ କରିଥିବା ବେଳେ ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ଦହପଡ଼ାରେ ଦୀର୍ଘବର୍ଷ ଧରି ଗଢ଼ି ଉଠିଥିବା ଏକ ବେଆଇନ୍‌ ଚିମିନି ଭାଟିକୁ ବୁଲଡୋଜର ଲଗାଇ ମାଟିରେ ମିଶାଇ ଦିଆଯିବା ସହ ସେଠାରେ ଗଚ୍ଛିତ ଥିବା ଉକ୍ତ ମାଲିକଙ୍କ କୋଟି କୋଟି ଟଙ୍କାର ବାଲି, ମାଟି ଓ ଇଟାକୁ ଜବତ କରି ନିଲାମ ପ୍ରକ୍ରିୟା ଆରମ୍ଭ କରିଛି। ସେହିପରି ଏହି ଘଟଣା ପରେ ଜିଲା ପୋଲିସ ପକ୍ଷରୁ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କଡ଼ାକଡ଼ି କରିବାକୁ ବ୍ଲୁ-ପ୍ରିଣ୍ଟ କରାଯାଇଛି। ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଚାଲିଥିବା ବେଆଇନ ବାଲି ଖାଦାନ, ଇଟାଭାଟିଗୁଡ଼ିକୁ ତୁରନ୍ତ ଚିହ୍ନଟ କରି ସେଗୁଡ଼ିକୁ ମାଟିରେ ମିଶାଇବାକୁ ‘ଅପରେଶନ ସ୍ୟାଣ୍ଡ୍‌ ଷ୍ଟର୍ମ’ ଆରମ୍ଭ କରାଯାଇଛି। ବେଆଇନ ବାଲି ଖାଦାନ ବିରୋଧରେ ଗତ ଜାନୁୟାରୀ ୨୭ ତାରିଖଠାରୁ ୧୭ ମାମଲା ରୁଜୁ କରାଯାଇଥିଲା। ଆବଶ୍ୟକ ପଡ଼ିଲେ ୭୦ ମାମଲା ରୁଜୁ କରାଯିବା ସହ ମାଫିଆମାନଙ୍କୁ ଅର୍ଥନୈତିକ ଦୁର୍ବଳ କରାଯିବ ବୋଲି ଜିଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ ସୂଚନା ଦେଇଛନ୍ତି।