ଅପରେଶନ ‘ସାଇଲେଣ୍ଟ ଭାଇପର’

ଦୀର୍ଘଦିନ ଧରି କ୍ରାଇମବ୍ରାଞ୍ଚ, ସିବିଆଇ, ପୋଲିସ ନଜରରୁ ଖସି ପାତାଳ ପୁରରେ ରହିବା ଲୋକ କେବେବି ସାଧାରଣ ହୋଇପାରେନା। ଗଣବଳାତ୍କାର ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ଅତି ଚତୁରତାର ସହିତ ପରିଚୟ ବଦଳାଇ ରାଜ୍ୟ ବାହାରେ ଲୁଚି ରହିଥିଲେ। ତାଙ୍କୁ ଧରିବା ପାଇଁ ତିନିମାସ ତଳେ କମିଶନରେଟ ପୋଲିସ ଆରମ୍ଭ କରିଥିଲା ଅପରେଶନ ‘ସାଇଲେଣ୍ଟ ଭାଇପର’ ବା ‘ନୀରବ ବୋଡା ସାପ’। ଖୋଦ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏହି ଅପରେଶନ ପରିଚାଳନା କରିଥିଲେ। ଏହାକୁ ଶେଷ ରୂପ ଦେବା ପାଇଁ ୪ଜଣିଆ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଏଥିରେ ସାମିଲ ଥିଲେ କଟକ ଡିସିପି ପ୍ରତୀକ ସିଂ, ଅତିରିକ୍ତ ଡିସିପି ପ୍ରମୋଦ ରଥ, ସ୍ପେଶାଲ ସ୍କ୍ବାଡ୍‌ ଇନ୍ସପେକ୍ଟର ଅଜୟ କୁମାର ଦାସ ଓ ବାରଙ୍ଗ ଥାନା ଆଇଆଇସି ଶଶିକାନ୍ତ ରାଉତ। ଏମାନେ ଅପରେଶନ ‘ସାଇଲେଣ୍ଟ ଭାଇପର’ ମିଶନକୁ ସଫଳ କରିବାକୁ ଲାଗି ପଡିଥିଲେ। ମିଶନ ସମ୍ପର୍କରେ ଅନ୍ୟ କାହାକୁ ବି ସୂଚନା ଦିଆଯାଇ ନ ଥିଲା। ଚୁପ୍‌ଚାପ୍‌ ବିବନ ଓ ତାଙ୍କ ପରିବାର ସମ୍ପର୍କରେ ତଥ୍ୟ ଯୋଗାଡ଼ରେ ଲାଗି ପଡ଼ିଥିଲେ। ବିବନ ପୁଣେର ଆମ୍ବି ଭ୍ୟାଲିରେ ରହିବା ସହ ପରିଚୟ ବଦଳାଇ ଦେଇଥିଲେ। ସେଠାରୁ ନିୟମିତ ପରିବାର ଲୋକଙ୍କ ସହ କଥା ହେବା ସହ ନିଜ ପୁଅ ଆକାଉଣ୍ଟକୁ ଟଙ୍କା ପଠାଉଥିଲେ। ମଝିରେ କେତେଥର ନିଜ ଘରକୁ ଆସି ଥିବା ମଧ୍ୟ ଟିମ୍‌କୁ ସୂଚନା ମିଳିଥିଲା। ମୋବାଇଲ୍‌ ଫୋନ୍‌କୁ ଟ୍ରାକ୍‌ କରି ବିବନ ରହୁଥିବା ସ୍ଥାନକୁ ଠାବ କରାଯାଇଥିଲା। ତାଙ୍କର ସବୁ ତଥ୍ୟ ହାସଲ ପରେ ଆଉ ଏକ ଟିମ୍‌ ତାଙ୍କୁ ଧରିବା ପାଇଁ ପୁଣେ ଯାଇଥିଲା। ହେଲେ କେହି ଧରିପାରିବେ ନାହିଁ ବୋଲି ଭାବି ବିବନ ଖୁସିରେ ବୁଲୁଥିବାବେଳେ ବୋଡା ସାପ ଭଳି ଅଭିଯୁକ୍ତର ବେକ ଧରିପକାଇଥିଲା ଟିମ୍‌। ବିବନ ଗିରଫ ହେବା ପରେ କମିଶନରେଟ ପୋଲିସକୁ ଅର୍ଦ୍ଧ ସଫଳତା ମିଳିଛି। ବଳିଷ୍ଠ ତଥ୍ୟ ପ୍ରମାଣ ଯୋଗାଡ଼ କରି ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଗଲେ ପୋଲିସକୁ ପୂର୍ଣ୍ଣ ସଫଳତା ମିଳିବ ବୋଲି କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି।

ହୋଇପାରେ ରିମାଣ୍ଡ ନିଷ୍ପତ୍ତି,  ଆଜି ବୈଠକ

ରିମାଣ୍ଡରେ ଆସିବେ ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ। ଏନେଇ ମଙ୍ଗଳବାର ସିବିଆଇ ଓ କମିଶନରେଟ ପୋଲିସର ବୈଠକ ବସିବ। ଏହାପରେ ଅଭିଯୁକ୍ତ ବିବନଙ୍କୁ ରିମାଣ୍ଡରେ ନେବା ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି।

Share