ନିଜ ଲୋଡର ତଳେ ଚାପି ହୋଇଗଲେ ଅପରେଟର

ବଡ଼ବିଲ,୧୨ା୭(ଦେବପ୍ରିୟା ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଟଣ୍ଟସ୍ଥିତ ନର୍ଭେରାମ ପାଓ୍ବାର ଆଣ୍ଡ୍‌ ଷ୍ଟିଲ୍‌ କମ୍ପାନୀ ଖଣିରେ ବୁଧବାର ଦୁର୍ଘଟଣା ଘଟି ନିଜ ଲୋଡର ତଳେ ଚାପି ହୋଇ ଅପରେଟରଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ମୟୂରଭଞ୍ଜ ଜିଲା ବାଦାମ ପାହାଡ଼ ଥାନା ସୁଲେଇପାଟ, ରକ୍ଷାସାହି ଅଞ୍ଚଳର ମହେନ୍ଦ୍ର କାରୁଆ ଓରଫ୍‌ କୁନାଲ(୩୪)।

ମିଳିଥିବା ସୂଚନାନୁଯାୟୀ, ବୁଧବାର ମହେନ୍ଦ୍ର ଲୋଡରଟିକୁ ଏକ ସ୍ଥାନରେ ଛିଡ଼ା କରି କିଛି ଦୂରରେ ପରିସ୍ରା କରୁଥିଲେ। ଏହି ସମୟରେ ଲୋଡରଟି ଗଡ଼ିଯାଇ ମହେନ୍ଦ୍ରଙ୍କ ଉପରେ ଚଢ଼ିଯାଇଥିଲା। ଫଳରେ ଲୋଡର ଚାପାରେ ମହେନ୍ଦ୍ରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏ ନେଇ ବଡ଼ବିଲ ଥାନାରେ କମ୍ପାନୀ ପକ୍ଷରୁ ଅଭିଯୋଗ ହେବା ପରେ ପୋଲିସ କେସ୍‌ ନଂ- ୧୮୯/୨୩ରେ ମାମଲା ରୁଜୁ କରିଛି। ମୃତଦେହ ଜବତ କରି ପୋଲିସ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଅଧିକ ତଦନ୍ତ ଜାରି ରଖିଥିବା ବଡ଼ବିଲ ଥାନା ଆଇଆଇସି ପ୍ରମୋଦିନୀ ସାହୁ କହିଛନ୍ତି।