ଓପିଜିସି ପ୍ରକଳ୍ପରେ ଅଘଟଣ: ଗରମ ପାଉଁଶ ପଡ଼ି ୬ ଶ୍ରମିକ ଆହତ

ଲଖନପୁର,୬ା୯: ଓଡ଼ିଶା ବିଦ୍ୟୁତ୍‌ ଉତ୍ପାଦନ ନିଗମ(ଓପିଜିସି)ର ବନହରପାଲିସ୍ଥିତ ଇବ୍‌ ତାପଜ ବିଦ୍ୟୁତ୍‌ କେନ୍ଦ୍ରରେ ଶନିବାର ରାତିରେ ଦୁର୍ଘଟଣା ଘଟି ୬ ଠିକାଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଇବ୍‌ଥର୍ମାଲ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକତ୍ସା କରାଯାଇଥିଲା। ଏଥିମଧ୍ୟରୁ ୩ ଶ୍ରମିକଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ସେହି ରାତିରେ ଭୁବନେଶ୍ୱରର ଏକ ଘରେଇ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଆହତ ଠିକାଶ୍ରମିକମାନଙ୍କ ମଧ୍ୟରେ ରହିଛନ୍ତି ଗଞ୍ଜାମ ଜିଲା ଜଗଦଳପୁର ଗ୍ରାମର ପି.ଭଗବାନ ପାତ୍ର(୪୨),ତେଲେନପାଲି ଗ୍ରାମର ଆକାଶ ଖମାରୀ(୨୩),ରେମଣ୍ଡା ଝାରକଟା ଗ୍ରାମର ହୃଷୀକେଶ କର୍ତ୍ତା(୨୫),ପଶ୍ଚିମବଙ୍ଗ ମେଗରା ଗ୍ରାମର ପ୍ରବୀର ମଲ୍ଲୋ(୫୦),ଶେଖ୍‌ ମଜାରୁଲ(୨୧) ଓ ଝାଡ଼ଖଣ୍ଡର ପୋଲାମର ରବୀନ୍ଦ୍ର ପାଲ(୩୭)ବୋଲି ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ପି. ଭଗବାନ,ଆକାଶ ଓ ହୃଷୀକେଶଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଏମାନେ ଏଆର୍‌ଏସ୍‌ ଇଞ୍ଜିନିୟରିଂ ଓ ଏସ୍‌ଆର୍‌ ଇଞ୍ଜିନିୟରିଂ ଠିକାସଂସ୍ଥାରେ କାମ କରୁଥିଲେ। ଏନେଇ ପ୍ରକଳ୍ପର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହିମାଂଶୁ ବେହେରା କହିଛନ୍ତି। ପ୍ରକଳ୍ପ ପରିସରରେ ଥିବା ଇଏସ୍‌ପି ହପର୍‌ ଖସିପଡ଼ିବା ଫଳରେ ତଳେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ଉପରେ ଗରମ ପାଉଁଶ ପଡ଼ିଯାଇଥିଲା।