ଓପିଜିସି ପାଉଁଶ ପାଇପ୍‌ ଲାଇନ୍‌ ଫାଟି ଗାଁ ପ୍ରଭାବିତ ହେବା ପ୍ରସଙ୍ଗ: ଅଞ୍ଚଳ ପରିଦର୍ଶନ କଲେ କମ୍ପାନୀ କର୍ତ୍ତୃପକ୍ଷ

ଝାରସୁଗୁଡା ଅଫିସ୍‌,୧୦।୪: ଓଡ଼ିଶା ବିଦ୍ୟୁତ ନିଗମ (ଓପିଜିସି)ର ଇବ୍‌ ଥର୍ମାଲ ପ୍ରକଳ୍ପ ପାଉଁଶ ପାଇପ୍‌ ଲାଇନ୍‌ ଗତ ଶୁକ୍ରବାର ଫାଟିଯାଇଥିଲା। ଏଥିରୁ ନିର୍ଗତ ତରଳ ବର୍ଜ୍ୟବସ୍ତୁ ପାଉଁଶ ନିକଟସ୍ଥ ଗ୍ରାମ ବନହରପାଲି ଅଞ୍ଚଳରେ ମାଡିଯାଇଥିଲା। ଏଥିରେ ଗାଁ ପୋଖରୀ, ଚାଷଜମି ଆଦି ପ୍ରଭାବିତ ହୋଇଛି। ଏ ନେଇ ଉତ୍ତେଜିତ ଗ୍ରାମବାସୀ ଇବ୍‌ଥର୍ମାଲ ପ୍ରକଳ୍ପ ଗବେଷଣା କେନ୍ଦ୍ର ଘେରାଉ କରିଥିବା ବେଳେ କମ୍ପାନୀ ତରଫରୁ ପ୍ରଭାବିତ ଅଞ୍ଚଳ ପରିଦର୍ଶନକରି କ୍ଷୟକ୍ଷତି ଆକାଳନ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଏ ନେଇ କମ୍ପାନୀର ଏକ ସ୍ବତନ୍ତ୍ର ଟେକ୍ନିକାଲ୍‌ ପ୍ରତିନିଧି ଦଳ ଶନିବାର ସକାଳେ ପାଉଁଶ ମାଡିଯାଇଥିବା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ କ୍ଷୟକ୍ଷତି ଆକଳନ କରିଥିଲେ। ପରେ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ। ଗ୍ରାମବାସୀ ପୋଖରୀରେ ଝଡ଼ା ଯାଇଥିବା ମାଛ ଲାଗି ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି ସହିତ ପୋଖରୀରୁ ପ୍ରଦୂଷିତ ଜଳ ନିଷ୍କାସନ ସାଙ୍ଗକୁ ଏହାର ପୁର୍ନଉଦ୍ଧାର, ଗ୍ରାମକୁ ପାନୀୟ ଜଳ ଯୋଗାଣ, ପ୍ରଭାବିତ ଚାଷ ଜମିରୁ ପାଉଁଶ କାଢ଼ିବା ସହିତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଯୋଗାଇ ଦେବାଲାଗି ଦାବି କରିଥିଲେ। କମ୍ପାନୀ କର୍ତ୍ତୃପକ୍ଷ ଏ ନେଇ ପ୍ରତିଶ୍ରୁତି ଦେଇଥିଲେ।