ରିମାଣ୍ଡରେ ନିଲମ୍ବିତ ଓପିଏଚ୍‌ଡବ୍ଲ୍ୟୁସି ଡେପୁଟି ମ୍ୟାନେଜର

ଭୁବନେଶ୍ୱର, ୧୮।୧୧(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିବା ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ୍‌ ଓ୍ବେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି)ର ନିଲମ୍ବିତ ଡେପୁଟି ମ୍ୟାନେଜର ପ୍ରତାପ କୁମାର ସାମଲଙ୍କୁ ଭିଜିଲାନ୍ସ ୨ ଦିନିଆ ରିମାଣ୍ଡରେ ଆଣିଛି। ବେଆଇନ ସମ୍ପତ୍ତିର ଅଧିକ ଗୁମର ଖୋଲିବା ପାଇଁ ମଙ୍ଗଳବାର ସାରୁ ତାଙ୍କୁ ଘନଘନ ଜେରା ଚାଲିଛି। ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରତାପ ରାଧାକୃଷ୍ଣ ପ୍ରଡକ୍ସନରେ ଦୁଇଟି ସିନେମା ତିଆରି କରିଥିବାବେଳେ ଏବାବଦକୁ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିଥିଲେ। ଉକ୍ତ ଦୁଇ ଫିଲ୍ମରେ ସ୍ତ୍ରୀ ସସ୍ମିତା ସାମଲ ଓ ଭଉଣୀ ନମିତା ଦାସଙ୍କୁ ପ୍ରଯୋଜକ ଦର୍ଶାଇଥିଲେ। ଏଥିସହ ପ୍ରତାପ ଓ ତାଙ୍କ ପରିବାର ସଦସ୍ୟଙ୍କ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ସନ୍ଦେହଜନକ ଭାବରେ ଦେଢ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜମା କରାଯାଇଛି। ପ୍ରତାପ ପ୍ରାୟ ୧ କୋଟି ୩୭ ଲକ୍ଷ ୮୩ ହଜାର ୧୭୪ ଟଙ୍କା ସେୟାର ମାର୍କେଟରେ ଲଗାଇଛନ୍ତି। ତେବେ ଫିଲ୍ମରୁ ସେ କେତେ ଟଙ୍କା ରୋଜଗାର କରିଥିଲେ, ପରିବାର ସଦସ୍ୟ ଓ ତାଙ୍କ ବ୍ୟାଙ୍କ ଆକାଣ୍ଟରେ ଜମା ହୋଇଥିବା ଟଙ୍କା କେଉଁଠୁ ଆସିଲା, ପ୍ରତାପ ପାଖାପାଖି ୧୫ କୋଟି ଟଙ୍କା କେଉଁ ଉତ୍ସରୁ ଉପାର୍ଜନ କଲେ ତାହା ଜାଣିବାକୁ ଭିଜିଲାନ୍ସ ଚେଷ୍ଟା ଚଳାଇଛି। ଅଧିକ ଜେରା କଲେ ଆଉ କିଛି ନୂଆ ତଥ୍ୟ ମିଳିବ ବୋଲି ଭିଜିଲାନ୍ସ ଆଶା ରଖିଛି। ସୂଚନାଯୋଗ୍ୟ, କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଭିଜିଲାନ୍ସର ୧୦ଟି ଟିମ୍‌ ଗତ ୯ ତାରିଖରେ ପ୍ରତାପଙ୍କ ଭୁବନେଶ୍ୱରସ୍ଥିତ ଓପିଏଚ୍‌ଡବ୍ଲ୍ୟୁସି କାର୍ଯ୍ୟାଳୟ, ବାଲେଶ୍ୱର ସିମୁଳିଆସ୍ଥିତ ପୈତୃକ ଘର ସମେତ ୯ ସ୍ଥାନରେ ଚଢ଼ାଉ କରି ବହୁ କୋଟିର ସମ୍ପତ୍ତି ଠାବ କରିଥିଲା। ଯାଞ୍ଚବେଳେ ସେ ନିଜ ଆୟର ୧୦୨୧ ପ୍ରତିଶତ ଅଧିକ ଅର୍ଥାତ୍‌ ମୋଟ ୧୪.୮୭କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ସ୍ପଷ୍ଟ କରିଥିଲା। ସେ ଗିରଫ ହୋଇ ଜେଲ୍‌ ଯିବା ପରେ ତାଙ୍କୁ ଚାକିରିରୁ ନିଲମ୍ବିନ କରାଯାଇଥିଲା।

Share