ବକେୟା ଦରମା ପ୍ରଦାନ ଦାବିରେ ଓଏଭି କର୍ମଚାରୀଙ୍କ ଧାରଣା

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ୯ଟି ବ୍ଲକରେ ଥିବା ୯ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ଦୀର୍ଘ ୭ ମାସରୁ ଊର୍ଦ୍ଧ୍ୱ ହେବ ସେମାନଙ୍କର ବକେୟା ଦରମା ଦେଉ ନ ଥିବା ଓ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନ ଥିବାରୁ ଗୁରୁବାର ଏହାର ପ୍ରତିବାଦରେ ୨୭ ଜଣ କର୍ମଚାରୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ୭ ମାସର ବକେୟା ଦରମା ପ୍ରଦାନ ସହ ଠିକାଦାରଙ୍କୁ କଳା ତାଲିକାଭୁକ୍ତ କରିବାକୁ ଦାବି କରିଛନ୍ତି। ଏହି କର୍ମଚାରୀମାନଙ୍କୁ କଣ୍ଟ୍ରାକ୍ଟର ବା ସର୍ଭିସ ପ୍ରୋଭାଇଡର ଅଧୀନରେ ଆବଶ୍ୟକ ଅନୁସାରେ ଜିଲାର ୯ଟି ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତି ଦିଆଯାଇଛି। ଦୀର୍ଘଦିନ ଧରି କାମ କରି ଆସୁଥିବା ଏହି କର୍ମଚାରୀମାନେ ୭ ମାସର ବକେୟା ଦରମା ମଧ୍ୟ ମିଳିନାହିଁ। ଏମାନଙ୍କର ଦରମାରୁ କଟୁଥିବା ପ୍ରୋଭିଡେଣ୍ଟ୍‌ ଫଣ୍ଡ୍‌ ଓ ଇଏସ୍‌ଆଇ ମଧ୍ୟ ଜମା କରାଯାଉନାହିଁ। ପୂର୍ବରୁ କର୍ମଚାରୀମାନେ ନିଜ ସମସ୍ୟାକୁ ନେଇ ବାରମ୍ବାର ଜିଲାପାଳ, ଅତିରିକ୍ତ ଜିଲାପାଳ, ଜିଲା ଶିକ୍ଷା ଅଧିକାରୀ, ଜିଲା ଶ୍ରମ ଅଧିକାରୀଙ୍କ ପାଖରେ ଅଭିଯୋଗ ଜଣାଇଥିଲେ ମଧ୍ୟ କୌଣସି ଫଳପ୍ରଦ ହେଉ ନ ଥିବା ଏବଂ ବର୍ତ୍ତମାନର ସର୍ଭିସ ପ୍ରୋଭାଇଡର ମେସର୍ସ ବିଶ୍ୱଜିତ ମିଶ୍ର କାହାର ନିର୍ଦ୍ଦେଶକୁ ଖାତିର କରୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ପେମେଣ୍ଟ ଅଫ୍‌ ଓଜେସ ଆକ୍ଟ ଅନୁସାରେ ଏହି ନିର୍ଦ୍ଦେଶ ଗତ ୨୮ା୦୮ା୨୩ରେ ଚିଠି ସଂଖ୍ୟା ୧୯୦୧/ଡିଏଲସି/କେଜେଆର ଦ୍ୱାରା ଦିଆଯାଇଥିଲେ ମଧ୍ୟ ଅଦ୍ୟାବଧି ଜିଲା ଶିକ୍ଷାଧିକାରୀ ବକେୟା ଦରମା ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଦାବିପୂରଣ ନ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ତପନ କୁମାର ଦାସ, ଚିରଞ୍ଜୀବ ସାହୁ, ବୈଷ୍ଣବ ମହାନ୍ତ, ସୁବାସ ଦାଶ, ତପନ କୁମାର ମହାନ୍ତ, ଟିଟୁ ବାରିକ, ପଦ୍ମାବତୀ ମହାନ୍ତ, ସୁମିତ୍ରା ନାୟକ, ମନୋରଞ୍ଜିତା ବିପି, ରଶ୍ମିତା ପ୍ରଧାନ, ଗଣେଶ ମହାନ୍ତ, ଅନିଲ ନାୟକ,ପଦ୍ମଲୋଚନ ମହାନ୍ତ, ମମତା ମଞ୍ଜରୀ ମହାନ୍ତ ପ୍ରମୁଖ କହିଛନ୍ତି।

Share