ଓ୍ବାଶିଂଟନ,୧୮ା୮ ଆଫଗାନ ଚାଷୀ ମରୁଡ଼ି ଏବଂ ଗହମ ନିଅଣ୍ଟ ସମୟରେ ଦରଦାମ ଆକାଶଛୁଆଁ ହେବାବେଳେ ଅଫିମ ଚାଷ କରି ଗମ୍ ଅମଳ କରନ୍ତି। ତାକୁ ରିଫାଇନ୍ କରି ମୋର୍ଫିନ ଓ ହେରୋଇନ ପ୍ରସ୍ତୁତ କରାଯାଏ। ୩ ବର୍ଷରେ ଆଫଗାନିସ୍ତାନରେ ସର୍ବାଧିକ ଅଫିମ ଉପତ୍ାଦନ ହୋଇଛି। ଗତବର୍ଷ କୋଭିଡ୍-୧୯ ମହାମାରୀ ସମୟରେ ଏହି ଉତ୍ପାଦନ ୩୭% ବୃଦ୍ଧି ପାଇଥିଲା। ୟୁଏନ୍ଓଡିସିର ଏକ ରିପୋର୍ଟ ଅନୁସାରେ ୨୦୧୭ରେ ଆଫଗାନିସ୍ତାନରେ ସର୍ବାଧିକ ୯,୯୦୦ ଟନ୍ ଅଫିମ ଉତ୍ପାଦନ ହୋଇଥିଲା। ଏହାର ମୂଲ୍ୟ ୧.୪ ବିଲିୟନ୍ ଡଲାର, ଯାହାକି ଆଫଗାନିସ୍ତାନର ମୋଟ ଘରୋଇ ଉତ୍ପାଦ(ଜିଡିପି)ର ୭% ହେବ। ରପ୍ତାନି ଓ ସ୍ଥାନୀୟ ବ୍ୟବହାରକୁ ହିସାବକୁ ନିଆଗଲେ ଦେଶର ମୋଟ ଅଫିମ ଉତ୍ପାଦନର ପରିମାଣ ୬.୬ ବିଲିୟନ୍ ଡଲାର ହେବ।
ଆଫଗାନିସ୍ତାନରେ ଅଫିମ ଓ ହେରୋଇନ୍ ବେପାର ଲାଭରୁ ତାଲିବାନ୍କୁ ହଟାଇବା ଲାଗି ଆମେରିକା ଉଦ୍ୟମ କରିଥିଲା। ଏଥିପାଇଁ ୧୫ ବର୍ଷରେ ସନ୍ଦିଗ୍ଧ ଲାବ୍ଗୁଡ଼ିକରେ ଏୟାରଷ୍ଟ୍ରାଇକ୍ ଓ ଚଢ଼ାଉରେ ୮ ବିଲିୟନ୍ ଡଲାରରୁ ଅଧିକ ଖର୍ଚ୍ଚ ହୋଇଥିଲା। କିନ୍ତୁ ଶକ୍ତିଶାଳୀ ଆମେରିକାର ଏହି ରଣନୀତି ବିଫଳ ହୋଇଛି। ଆଫଗାନିସ୍ତାନ ବିଶ୍ୱର ସର୍ବବୃହତ୍ ବେଆଇନ ନିଶାଦ୍ରବ୍ୟ ଯୋଗାଣକାରୀ ହୋଇ ରହିଥିବାବେଳେ କାବୁଲରେ ତାଲିବାନ୍ର କ୍ଷମତା ଦଖଲ ସହ ଏହି ଧାରା ବଜାୟ ରହିବ ବୋଲି ଆମେରିକା ଓ ଜାତିସଂଘର ଅଧିକାରୀ ତଥା ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।
ଯୁଦ୍ଧ ବେଳେ ଧ୍ୱଂସର ଅନେକ ବିଭୀଷିକା ଦେଖିଛି ଆଫଗାନିସ୍ତାନ। ଆମେରିକା ନେତୃତ୍ୱାଧୀନ ବିଦେଶୀ ସୈନ୍ୟଙ୍କ ପ୍ରତ୍ୟାବର୍ତ୍ତନ ଯୋଗୁ ହୋଇଥିବା କ୍ଷତି ଏବେ ସେଠାରେ ଏକ ମାନବିକ ସଙ୍କଟ ସୃଷ୍ଟି କରିଛି। ଫଳରେ ବଞ୍ଚତ୍ବା ପାଇଁ ସଂଘର୍ଷରତ ଅନେକ ଆଫଗାନ୍ ଏବେ ନିଶାଦ୍ରବ୍ୟ କାରବାର ଉପରେ ନିର୍ଭର କରିବାକୁ ବାଧ୍ୟ ହେବେ। ତାଲିବାନ, ଅନ୍ୟ ସଶସ୍ତ୍ର ଗୋଷ୍ଠୀ, ଜାତିଗତ ସର୍ଦ୍ଦାର ଓ ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କ ମଧ୍ୟରେ ଡ୍ରଗ୍ସରୁ ମିଳୁଥିବା ଲାଭ ଓ କ୍ଷମତା ପାଇଁ ପ୍ରତିଯୋଗିତା ବଢ଼ି ଯାଇପାରେ। ନିଶାଦ୍ରବ୍ୟ ଉପରେ ନିର୍ଭରଶୀଳତା ଅସ୍ଥିରତା ବୃଦ୍ଧିର କାରଣ ସାଜିବ ବୋଲି କୁହାଯାଉଛି। ଏଥିରୁ ତାଲିବାନ ଫାଇଦା ପାଇବ ବୋଲି ଚିନ୍ତା ବ୍ୟକ୍ତ କରାଯାଇଛି। ୟୁଏନ୍ ଅଫିସ୍ ଅଫ୍ ଡ୍ରଗ୍ସ ଆଣ୍ଡ କ୍ରାଇମ୍ କାବୁଲ ମୁଖ୍ୟ ସେସାର୍ ଗୁଡେସ୍ କହିଛନ୍ତି, ତାଲିବାନ ପାଇଁ ଅଫିମ ବ୍ୟବସାୟ ହେଉଛି ଆୟର ଏକ ମୁଖ୍ୟ ସ୍ରୋତ। ଉତ୍ପାଦନ ବଢ଼ିଲେ ଡ୍ରଗ୍ସ ଶସ୍ତା ହେବ ଓ ଏହାର ଉପଲବ୍ଧତା ବୃଦ୍ଧି ପାଇବ। ରବିବାର କାବୁଲରେ ତାଲିବାନର ଦଖଲ ସହ ଏହି ବେଆଇନ ଗୋଷ୍ଠୀଗୁଡ଼ିକ ସେମାନଙ୍କ ବ୍ୟବସାୟ ବିସ୍ତାର ପାଇଁ ତତ୍ପର ହୋଇ ଉଠିଛନ୍ତି।
୨୦୦୦ରେ ତାଲିବାନ ଅନ୍ତର୍ଜାତୀୟ ବୈଧତା ହାସଲ ଲାଗି ଅଫିମ ବ୍ୟବସାୟ ଉପରେ ରୋକ ଲଗାଇଥିଲା। ବିରୋଧ ବଢ଼ିବାରୁ ଆଭିମୁଖ୍ୟ ବଦଳାଇଥିଲା। ଦେଶରୁ ବିଶ୍ୱର ୮୦% ଅଫିମ ଯୋଗାଣ ହୁଏ।