Categories: ଖେଳ

ଟି୨୦ରେ ଯୁବ ଖେଳାଳିଙ୍କୁ ସୁଯୋଗ ମିଳୁ: ଶାସ୍ତ୍ରୀ

ନୂଆଦିଲ୍ଲୀ, ୧୬।୫ (ପି.ଟି.): ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଟି ୨୦ ଦଳରେ ଯୁବ ଖେଳାଳିଙ୍କ ସାମିଲ ଉପରେ ଗୁରୁତ୍ୱ ଦେଇଛନ୍ତି। ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରି ଅଭିଜ୍ଞ ଖେଳାଳିଙ୍କୁ ଦିନିକିଆ ଓ ଟେଷ୍ଟ ଟିମ୍‌ରେ ସାମିଲ କରିବା ସହିତ ଆଇପିଏଲରେ ଭଲ ପ୍ରଦର୍ଶନ କରୁଥିବା ଯୁବ ଖେଳାଳିଙ୍କୁ ଟି୨୦ ଦଳରେ ସୁଯୋଗ ଦିଆଯିବା ଉଚିତ ବୋଲି ଶାସ୍ତ୍ରୀ କହିଛନ୍ତି। ଚଳିତ ଆଇପିଏଲରେ ଭଲ ପ୍ରଦର୍ଶନ କରିଥିବା ତିଲକ ବର୍ମା, ଜିତେଶ ଶର୍ମା ଓ ଯଶସ୍ବୀ ଜୟସ୍ବାଲଙ୍କୁ ଟି୨୦ ଦଳରେ ସ୍ଥାନ ଦେବା ପାଇଁ ଶାସ୍ତ୍ରୀ ଦାବି କରିଛନ୍ତି। କୋହଲି ଓ ରୋହିତଙ୍କ ପରି ଖେଳାଳିଙ୍କ ନିକଟରେ ବିପୁଳ ଅଭିଜ୍ଞତା ରହିଛି, ଯାହା ଦିନିକିଆ ଓ ଟେଷ୍ଟରେ ଭାରତ ପାଇଁ ବେଶ୍‌ ସହାୟକ ସାବ୍ୟସ୍ତ ହେବ। ଏହାସହିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଓ ଦିନିକିଆ ବିଶ୍ୱକପ ପାଇଁ ଅଭିଜ୍ଞ ଖେଳାଳିଙ୍କୁ ସତେଜ ରଖିବା ନିହାତି ଆବଶ୍ୟକ। ଅନ୍ୟପକ୍ଷରେ ଚଳିତ ସିଜନର ଆଇପିଏଲରେ ତିଲକ ବର୍ମା, ଜିତେଶ ଶର୍ମା, ଯଶସ୍ବୀ ଜୟସ୍ବାଲ ଓ ରିଙ୍କୁ ସିଂଙ୍କ ପରି ଖେଳାଳି ଦମ୍‌ଦାର ପ୍ରଦର୍ଶନ କରି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ଏହି ଖେଳାଳିମାନଙ୍କୁ ବିକଶିତ କରିବା ଉପରେ ଚୟନକର୍ତ୍ତାମାନେ ଫୋକସ କରିବା ଉଚିତ ବୋଲି ସେ କହିଛନ୍ତି। ଆଇପିଏଲ ପରେ ହିଁ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଭାରତ ଟି୨୦ ସିରିଜ୍‌ ଖେଳିବ। ବରିଷ୍ଠ ଖେଳାଳିଙ୍କୁ ବାଦ୍‌ ଦେଇ ସେମାନଙ୍କ ସ୍ଥାନରେ ଯୁବ ଖେଳାଳିଙ୍କୁ ସାମିଲ କରାଯିବା ଉଚିତ ବୋଲି ସେ ମତ ରଖିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଦଳରେ ଏହି ଖେଳାଳିମାନଙ୍କୁ ସୁଯୋଗ ମିଳିବା ଉଚିତ୍‌। ଖେଳାଳିମାନଙ୍କୁ ଅପେକ୍ଷା କରାଇବା ପରିବର୍ତ୍ତେ ସୁଯୋଗ ମିଳିବା ଉଚିତ। ଏକ ବର୍ଷର ସମୟ ଢେର୍‌ ଅଧିକ ହୋଇଥାଏ। ଏହା ମଧ୍ୟରେ ଖେଳାଳିଙ୍କ ଫର୍ମ ଯିବାର ଆଶଙ୍କା ମଧ୍ୟ ରହିଥାଏ। କ୍ୟାରିୟରର ଶ୍ରେଷ୍ଠ ଫର୍ମରେ ଥିବା ସମୟରେ ହିଁ ଖେଳାଳିମାନଙ୍କୁ ସୁଯୋଗ ମିଳିବା ଉଚିତ୍‌। ଏହାସହିତ ଖେଳାଳିଙ୍କ ପୋଜିଶନ ପରିବର୍ତ୍ତନ କରିବା ସପକ୍ଷରେ ମଧ୍ୟ ସେ ନ ଥିବା କହିଛନ୍ତି।

Share