‘ମତ୍ସ୍ୟ ଉତ୍ପାଦନ ବୃଦ୍ଧି ସୁଯୋଗ ଅଛି’

ଭୁବନେଶ୍ୱର,୧୯।୩(ବ୍ୟୁରୋ): ଓଡ଼ିଶାରେ ମତ୍ସ୍ୟ ଉତ୍ପାଦନ ଏବଂ ରପ୍ତାନି ବୃଦ୍ଧିର ବ୍ୟାପକ ସୁଯୋଗ ରହିଛି। ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ମତ୍ସ୍ୟ ସମ୍ପଦର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସରକାର ଚାଷୀଙ୍କ ଆୟ ଦ୍ବିଗୁଣିତ କରିବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ମାଛଚାଷ ଏଥିରେ ସହାୟକ ହୋଇପାରୁଛି ବୋଲି କହିଛନ୍ତି କୃଷିମନ୍ତ୍ରୀ ଅରୁଣ କୁମାର ସାହୁ। ଗୁରୁବାର ମଧ୍ୟାହ୍ନରେ ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳପଡ଼ିଆରେ ଆୟୋଜିତ ‘କୃଷି ଓଡ଼ିଶା-୨୦୨୧’ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହା କହିଛନ୍ତି। ଏହି ଅବସରରେ ମନ୍ତ୍ରୀ ୬୫ ଜଣ ନୂତନ ସହକାରୀ ମତ୍ସ୍ୟ ଅଧିକାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ।
ନିଜ ଅଭିଭାଷଣରେ ମନ୍ତ୍ରୀ କହିଲେ, ରାଜ୍ୟରେ ୪୮୦ କିଲୋମିଟର ଦୀର୍ଘ ସମୁଦ୍ର ଉପକୂଳ, ୬.୮୬ ଲକ୍ଷ ହେକ୍ଟର ମଧୁର ଜଳ, ୪.୧୮ ଲକ୍ଷ ହେକ୍ଟର ଲୁଣାପାଣି ଅଞ୍ଚଳ ରହିଛି। ପ୍ରାୟ ୧୪.୬୪ ଲକ୍ଷ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ମତ୍ସ୍ୟ କ୍ଷେତ୍ର ସହିତ ଜଡ଼ିତ ଅଛନ୍ତି। ବୈଜ୍ଞାନିକ ପଦ୍ଧତିରେ ମାଛ ଉତ୍ପାଦନ ବଢ଼ାଇବା, ରପ୍ତାନି ବୃଦ୍ଧି କରିବା ସହ ଅଧିକରୁ ଅଧିକ ବୈଦେଶିକ ମୁଦ୍ରା ଅର୍ଜନ କରିବା ଆମର ଲକ୍ଷ୍ୟ। ଗତ ୨୦ ବର୍ଷରେ ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ୨.୫୯ ଲକ୍ଷ ମେଟ୍ରିକ୍‌ ଟନ୍‌ରୁ ୮.୧୬ ଲକ୍ଷ ମେଟ୍ରିକ୍‌ ଟନ୍‌କୁ ବୃଦ୍ଧି ପାଇଛି। ମତ୍ସ୍ୟ ରପ୍ତାନି ୩୭୯ କୋଟିରୁ ୩୨୪୩ କୋଟି ଟଙ୍କାକୁ ବଢ଼ିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ନବନିଯୁକ୍ତ ସହକାରୀ ମତ୍ସ୍ୟ ଅଧିକାରୀଙ୍କୁ କର୍ତ୍ତବ୍ୟ ପରାୟଣ ହେବାକୁ ସେ ପରାମର୍ଶ ଦେଇଛନ୍ତି। ବିଭାଗର କମିଶନର ଆର୍‌. ରଘୁପ୍ରସାଦ କହିଛନ୍ତି, ରାଜ୍ୟରେ ବିସ୍ତୃତ ଲୁଣା ଅଞ୍ଚଳରେ ମତ୍ସ୍ୟ ଉତ୍ପାଦନ ଏବଂ ରପ୍ତାନି ଲାଗି ଭରପୂର ସୁଯୋଗ ରହିଛି। ନବନିଯୁକ୍ତ ଅଧିକାରୀମାନେ ମତ୍ସ୍ୟସମ୍ପଦ ବିକାଶ କ୍ଷେତ୍ରରେ ନୂତନ ଜ୍ଞାନକୌଶଳ ଓ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି କମିଶନର କହିଛନ୍ତି।

Share