ବ୍ରହ୍ମପୁର ଅଫିସ,୧୮।୬: କେନ୍ଦ୍ର ପ୍ରତିରକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଥିବା ଅଗ୍ନିପଥ ଯୋଜନାକୁ ଦେଶର ବିଭିନ୍ନ ପ୍ରାନ୍ତରେ ବିରୋଧ ଏବଂ ପ୍ରତିବାଦ ଜାରି ରହିଛି। ଏହି ମର୍ମରେ ଶନିବାର ବ୍ରହ୍ମପୁର ସହରରେ ମଧ୍ୟ ବିଭିନ୍ନ ଛାତ୍ର, ଯୁବ ସଂଗଠନ ସମେତ ସେନାରେ ନିଯୁକ୍ତି ନିମନ୍ତେ ପ୍ରସ୍ତୁତି ହେଉଥିବା ଯୁବପିଢୀ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହ ବିଭିନ୍ନ ସଂଗଠନ ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର(ଆର୍ଡିସି)ଙ୍କୁ ଏକ ଦାବି ପତ୍ର ମଧ୍ୟ ପ୍ରଦାନ କରାଯାଇଛି।
ଏପରିକି ପୂର୍ବାହ୍ନରେ ଖଲିକୋଟ ବିଶ୍ୱବିଦ୍ୟାଳୟ ଖେଳ ପଡିଆଠାରେ କେତେକ ଯୁବକ ଅଗ୍ନିପଥ ବିରୋଧରେ ବିକ୍ଷୋଭ ନିମନ୍ତେ ଯୋଜନା ରହିଥିବା ବେଳେ ପୋଲିସ ଆଗୁଆ ସୂଚନା ପାଇଁ ଖେଳ ପଡିଆ ସମ୍ମୁଖରେ ପୋଲିସ ଛାଉଣୀ ଦେଖିବାକୁ ମିଳିଥିଲା। ପୋଲିସ ପକ୍ଷରୁ ଖେଳ ପଡିଆର ଫାଟକକୁ ବନ୍ଦ କରିଦେଇଥିଲା। ଫଳରେ ଯୁବପିଢିଙ୍କ ପକ୍ଷରୁ ବିକ୍ଷୋଭ ଯୋଜନା ଭଣ୍ଡୁର ହୋଇଥିଲା। କିନ୍ତୁ ବିଭିନ୍ନ ସଂଗଠନ ପକ୍ଷରୁ ପୂର୍ବାହ୍ନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।