ମନ୍ଦିର ଭଙ୍ଗାକୁ ବିରୋଧ, ପୋଲିସ-ଜନତା ମୁହାଁମୁହିଁ

କଟକ ସଦର, ୭।୮(ଡି.ଏନ.ଏ.): କିଶନନଗର ତହସିଲ ଅଧୀନ ରଟିଲୋ ଗ୍ରାମର ପଞ୍ଚମୁଖୀ ହନୁମାନ ମନ୍ଦିର ଭଙ୍ଗାଯିବାକୁ ନେଇ ଶୁକ୍ରବାର ପୋଲିସ ଓ ସ୍ଥାନୀୟ ଜନତା ମୁହଁାମୁହିଁ ହୋଇଥିଲେ। ଏପରି କି ଲୋକମାନେ ରାସ୍ତା ଉପରେ ବସି ରହିବାରୁ ପୋଲିସ ମନ୍ଦିର ନିକଟକୁ ପ୍ରବେଶ କରିପାରି ନ ଥିଲା। ଶେଷରେ କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀ ପହଞ୍ଚି ମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସହ ଆଲୋଚନା କରିବା ପରେ ମନ୍ଦିର ଭଙ୍ଗାକୁ ୧୫ ଦିନ ପାଇଁ ସ୍ଥଗିତ ରଖାଯାଇଛି। ସରକାରୀ ଜମିରେ ବିନା ଅନୁମତିରେ ମନ୍ଦିର ନିର୍ମାଣ କରାଯାଇଥିବାରୁ ନ୍ୟାଶନାଲ ଗ୍ରୀନ୍‌ ଟିବ୍ୟୁନାଲ(ଏନ୍‌ଜିଟି)ଙ୍କ ନିର୍ଦ୍ଦେଶକ୍ରମେ ତହସିଲ ପ୍ରଶାସନ ମନ୍ଦିର ଭାଙ୍ଗିବା ପାଇଁ ବ୍ୟବସ୍ଥା କରିଥିଲା। ଶୁକ୍ରବାର ସକାଳେ କିଶନନଗର ତହସିଲଦାର ସୁଚେତା ମହାପାତ୍ର, ମାଜିଷ୍ଟ୍ରେଟ୍‌ ତଥା ସାଲେପୁର ତହସିଲଦାର ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ଏସ୍‌ଡିପିଓ ପ୍ରଶାନ୍ତ କୁମାର ମାଝି, ଅତିରିକ୍ତ ତହସିଲଦାର କ୍ରିଷ୍ଣାକାନ୍ତା ସାହୁ, ଥାନାଧିକାରୀ ସସ୍ମିତା ରଣା ଏକ ପ୍ଲାଟୁନ୍‌ ପୋଲିସ ଫୋର୍ସ ମନ୍ଦିର ଭାଙ୍ଗିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ବହୁସଂଖ୍ୟକ ମହିଳାପୁରୁଷ ରାସ୍ତା ଉପରେ ବସିରହି କାହାରିକୁ ମନ୍ଦିର ପାଖକୁ ଛାଡି ନ ଥିଲେ। ଅପରାହ୍ନ ୨ଟାରେ ଜିଲାପାଳ ଚୟନୀ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ। ଏନ୍‌ଜିଟିଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିବାରୁ ପ୍ରଥମ ଶୁଣାଣି ପର୍ଯ୍ୟନ୍ତ ମନ୍ଦିର ନ ଭାଙ୍ଗିବା ପାଇଁ ସାମାଜିକ କର୍ମୀ ତ୍ରୈଲୋକ୍ୟନାଥ ପଣ୍ଡା ଓ ପୂର୍ବତନ ସରପଞ୍ଚ କମଳାକାନ୍ତ ନାୟକ ଜିଲାପାଳଙ୍କୁ ନିବେଦନ କରିଥିଲେ। ପରେ ଜିଲାପାଳ ଚୟନୀ ମନ୍ଦିର ଭଙ୍ଗା ନିଷ୍ପତ୍ତି ୧୫ ଦିନ ପାଇଁ ସ୍ଥଗିତ ରଖାଗଲା ବୋଲି ଘୋଷଣା କରିବାରୁ ପରିସ୍ଥିତି ଶାନ୍ତ ପଡିଥିଲା।

Share