ଭୁବନେଶ୍ବର,୨୮ା୯(ବ୍ୟୁରୋ): ପୁରୀ ଜିଲା ୧୧ ନମ୍ବର ଜୋନ୍ ଜିଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ମାମଲାକୁ ନେଇ ଆନ୍ଦୋଳନ ତେଜିବାରେ ଲାଗିଛି। ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଦାୟୀ କରିଛନ୍ତି ବିରୋଧୀ ଭାଜପା ଓ କଂଗ୍ରେସ। ଏପରିକି ଏହି ଘଟଣାରେ ସମୀରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ପ୍ରତିବାଦରେ ଛାତ୍ର କଂଗ୍ରେସ ତାତିଛି। ବୁଧବାର ୟୁନିଟ୍-୧ ସ୍ଥିତ ମନ୍ତ୍ରୀଙ୍କ ସରକାରୀ ବାସଭବନ ସମ୍ମୁଖ ରଣକ୍ଷେତ୍ର ପାଲଟିଛି। ଶତାଧିକ ଛାତ୍ର କଂଗ୍ରେସ କର୍ମୀ ସେଠାରେ ପହଞ୍ଚି ମନ୍ତ୍ରୀଙ୍କ ବିରୋଧରେ ନାରା ଦେଇଛନ୍ତି। ଏହାପରେ ସେମାନେ ମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ। ଏହି ସମୟରେ ପୋଲିସ ଛାତ୍ର କଂଗ୍ରେସ କର୍ମୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରବଳ ଟଣାଓଟରା ପରିସ୍ଥିତି ଦେଖିବାକୁ ମିଳିଥିଲା। ଏହାପରେ ପୋଲିସ ପହଞ୍ଚି ସମସ୍ତ ବିକ୍ଷୋଭକାରୀଙ୍କୁ ଅଟକ ରଖିଛି। ଆସନ୍ତା ୭ ଦିନ ମଧ୍ୟରେ ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆନ୍ଦୋଳନକୁ ଅଧିକ ଜୋର୍ଦାର କରାଯିବା ସହ ନବୀନ ନିବାସ ଘେରାଉ କରାଯିବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି।