Categories: ଜାତୀୟ

‘ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି ବିରୋଧୀ’

ନୂଆଦିଲ୍ଲୀ, ୧।୧୨: ନୂଆ କୃଷି ଆଇନକୁ ନେଇ ଚାଷୀମାନଙ୍କୁ ବିଭ୍ରାନ୍ତ କରାଯାଉଛି। ଏହା କୃଷକମାନଙ୍କ ସ୍ବାର୍ଥ ବିରୋଧୀ ଓ ଭବିଷ୍ୟତ ପ୍ରତି ବିପଦ ବୋଲି ବିରୋଧୀ ଦଳଗୁଡ଼ିକ ଭିତ୍ତିହୀନ ଗୁଜବ ସୃଷ୍ଟି କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କହିଛନ୍ତି। କୃଷକଙ୍କୁ ଦିଆଯାଇଥିତ୍ବା ପ୍ରତିଶ୍ରୁତି ଅନୁଯାୟୀ ନୂଆ ଆଇନ କାର୍ଯ୍ୟକାରୀ କରାଯାଇଛି। ଏହାର ଉଦ୍ଦେଶ୍ୟ ଗଙ୍ଗାଜଳ ଭଳି ପବିତ୍ର ବୋଲି ବାରାଣସୀରେ ଏକ ଜନସଭାକୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି। ନୂଆ ଆଇନ ଚାଷୀଙ୍କୁ ଅଧିକ କ୍ଷମତା ଓ ବିକଳ୍ପ ଯୋଗାଇଦେବ। ଏହା ପୁରୁଣା ବ୍ୟବସ୍ଥାକୁ ରୋକିବ ନାହିଁ। ଚାଷୀଙ୍କ ସ୍ବାର୍ଥ ସହ ଖେଳୁଥିବା ବିରୋଧୀମାନେ ଭୁଲ୍‌ ତଥ୍ୟକୁ ନେଇ ପ୍ରଚାର ଚଳାଇଛନ୍ତି। ଗୁଜବ ସୃଷ୍ଟି କରିବା ବିରୋଧୀଙ୍କ ନୂଆ ଟ୍ରେଣ୍ଡ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଚାଷୀଙ୍କ ଲାଭ ପାଇଁ ନୂଆ କୃଷି ଆଇନ ଅଣାଯାଇଛି। ଆଗାମୀ ଦିନରେ ସରକାର ଏହାର ଅନୁଧ୍ୟାନ କରିବେ। ପୂର୍ବରୁ କ୍ଷୁଦ୍ର ଚାଷୀ ମଣ୍ଡିରେ ପହଞ୍ଚତ୍ ପାରୁ ନ ଥିଲେ। ଏବେ ନୂଆ ଆଇନ ସେମାନଙ୍କୁ କେବଳ ଅଧିକ ବିକଳ୍ପ ଦେବନାହିଁ ବରଂ ସେମାନଙ୍କ ଅଧିକାରର ଆଇନଗତ ସୁରକ୍ଷାକୁ ସୁନିଶ୍ଚିତ କରିବ ବୋଲି ମୋଦି କହିଥିଲେ।

Share