Categories: ଜାତୀୟ

ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବିରେ ବିରୋଧୀ ଅଟଳ

ନୂଆଦିଲ୍ଲୀ,୧।୮: ମଣିପୁର ହିଂସା ପ୍ରସଙ୍ଗକୁ ନେଇ ପାର୍ଲାମେଣ୍ଟରେ ସୋମବାର ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁରର ଆଇନ ଶୃଙ୍ଖଳା ସ୍ଥିତି ଉପରେ ବିବୃତି ରଖନ୍ତୁ ବୋଲି ପୁଣି ଦାବି କରିଥିଲେ। ହିଂସାପ୍ରବଣ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଉପରେ ରାଜ୍ୟ ସଭାରେ ସଂକ୍ଷିପ୍ତ ଆଲୋଚନା ଆରମ୍ଭ ହୋଇଥିବାବେଳେ ବିରୋଧୀମାନେ ଏହାର ପ୍ରତିବାଦ କରିଥିଲେ। ଗୃହର ରୁଲ୍‌ ୨୬୭ ଅନୁଯାୟୀ ମଣିପୁର ପ୍ରସଙ୍ଗରେ ସବିଶେଷ ଆଲୋଚନା ହେଉ ଏବଂ ପ୍ରଧାନମନ୍ତ୍ରୀ ଗୃହରେ ଉପସ୍ଥିତ ରହନ୍ତୁ ବୋଲି ସେମାନେ ଦାବି କରିଥିଲେ। ହଟ୍ଟଗୋଳ ଜାରି ରହିବାରୁ ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ୍‌ ଧନକର ଗୃହକୁ ଦିନକ ପାଇଁ ମୁଲତବୀ ଘୋଷଣା କରିଥିଲେ। ଲୋକ ସଭାରେ ମଧ୍ୟ ଅନୁରୂପ ଦାବିକୁ ନେଇ ଅଚଳାବସ୍ଥା ଜାରି ରହିବାରୁ ଗୃହକୁ ଦିନକ ପାଇଁ ମୁଲତବୀ ରଖାଯାଇଛି। ଅପରାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହୋଇ ସିନେମାରେ ନକଲକୁ ବନ୍ଦ କରିବା ପାଇଁ ଅଣାଯାଇଥିବା ସିନେମାଟୋଗ୍ରାଫ ସଂଶୋଧନ ବିଲ୍‌, ୨୦୨୩ ଗୃହୀତ ହୋଇଥିଲା। ପୂର୍ବରୁ ଉକ୍ତ ବିଲ୍‌ ରାଜ୍ୟ ସଭାର ଅନୁମୋଦନ ଲାଭ କରିସାରିଛି। ଚଳଚ୍ଚିତ୍ରର କାହାଣୀ ଚୋରି ହୋଇଥିବା ଜଣାପଡ଼ିଲେ ୩ ବର୍ଷ ଜେଲଦଣ୍ଡ ସାଙ୍ଗକୁ ଫିଲ୍ମର ଉତ୍ପାଦନ ଖର୍ଚ୍ଚର ୫ ପ୍ରତିଶତ ଜରିମାନା ଦେବାକୁ ପଡ଼ିବ ବୋଲି ବିଲ୍‌ରେ ବ୍ୟବସ୍ଥା ରହିଛି।

Share