ବିଜେଡି ସଚେତନତା ଯାତ୍ରାକୁ ବିରୋଧୀଙ୍କ ସମାଲୋଚନା

ଭୁବନେଶ୍ୱର, ୩।୧୦(ବ୍ୟୁରୋ):  ବିଜେଡି ପକ୍ଷରୁ ଶୁକ୍ରବାର ଅର୍ଥାତ୍‌ ଗାନ୍ଧୀ ଜୟନ୍ତୀଠାରୁ ମାସେବ୍ୟାପୀ କରୋନା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବିଜେଡି ଗାଁକୁ ଯାଇ ଲୋକମାନଙ୍କୁ କରୋନା ସଚେତନତା ସମ୍ପର୍କରେ ବାର୍ତ୍ତା ଦେବା ସହିତ ମାସ୍କ ବଣ୍ଟନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ବିଧାୟକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ବିରୋଧୀ କିନ୍ତୁ ଏହାକୁ ନେଇ ତୀବ୍ର ସମାଲୋଚନା କରିଛନ୍ତି। କରୋନା ମହାମାରୀ ରୋକିବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଯେଉଁ ବିଫଳତା ତାକୁ ଲୁଚାଇବା ପାଇଁ ବିଜେଡି ଏଭଳି ରାଜନୀତି ଆରମ୍ଭ କରିଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ବିଧାନସଭାରେ କରୋନା ପରିଚାଳନାରେ ବିଫଳତା କଥାକୁ ମଧ୍ୟ ବିରୋଧୀ ମୁଖ୍ୟ ପ୍ରସଙ୍ଗ କରିଛନ୍ତି।
ବିଜେଡିକୁ ସମାଲୋଚନା କରି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, କୋଭିଡ୍‌ ପରିଚାଳନା କ୍ଷେତ୍ରରେ କୋଟି କୋଟି ଟଙ୍କା ଆତ୍ମସାତ କରାଯାଇଛି। ଏହାକୁ ଲୁଚାଇବା ପାଇଁ ସଚେତନତା ନାଟକ ଚାଲିଛି। ଏବେ ବିଜେଡି କଥା କେହି ବିଶ୍ୱାସ କରିବେ ନାହିଁ। କୋଭିଡ୍‌ ଦୁର୍ନୀତି ନେଇ କଂଗ୍ରେସ ଲୋକଙ୍କ ପାଖକୁ ଯିବ। ଦସ୍ତଖତ ଅଭିଯାନ କରିବ। ଆର୍‌ଟିଆଇରେ ତଥ୍ୟ ମାଗିଲେ ଦିଆଯାଉ ନାହିଁ। ବିଧାନସଭାରେ ପଚାରିଲେ ତଥ୍ୟ ସଂଗ୍ରହ ଚାଲିଥିବା ଉତ୍ତର ମିଳୁଛି ବୋଲି ତାରା କହିଛନ୍ତି। ସେହିଭଳି ଭାଜପା ସାଧାରଣ ସମ୍ପାଦକ ପୃଥ୍ବିରାଜ ହରିଚନ୍ଦନ କହିଛନ୍ତି, ବିଫଳତା ଘୋଡାଇବାକୁ ବିଜେଡି ପ୍ରୟାସ କରୁଛି। ଏହା ଜାତିର ଜନକଙ୍କ ପ୍ରତି ଅପମାନ ହେଉଛି। କୋଭିଡ୍‌ ପରିଚାଳନା ଠିକ୍‌ ହୋଇନାହିଁ। ମୃତ୍ୟୁ ଏବଂ ସଂକ୍ରମଣ ହାର ବଢୁଛି। କେନ୍ଦ୍ର ପକ୍ଷରୁ ଭେଣ୍ଟିଲେଟର ଦିଆଗଲା। ମାତ୍ର ରୋଗୀମାନେ ଏହି ସୁବିଧା ପାଇବା ପାଇଁ ଲାଇନରେ ଧାଡିରେ ଠିଆ ହେଉଛନ୍ତି। କରୋନା ଲାଗି ବର୍ତ୍ତମାନ ହା ହତାଶ ପରିସ୍ଥିତି ସୃଷ୍ଟି ହୋଇଛି। ବୋଲି ପୃଥ୍ବିରାଜ କହିଛନ୍ତି।

Share