Categories: ଜାତୀୟ

ଚାଇନା, ପେଗାସସ୍‌, ଦରଦାମ୍‌ ପ୍ରସଙ୍ଗରେ ଘେରିବେ ବିରୋଧୀ

ନୂଆଦିଲ୍ଲୀ,୨୨।୧୧: ସପ୍ତାହେ ପରେ ସଂସଦର ଶୀତ ଅଧିବେଶନ। ଏହି ଅଧିବେଶନ ଚଳାଇବା କେନ୍ଦ୍ର ସରକାରଙ୍କ ପାଇଁ ସହଜ ହେବ ନାହିଁ। କାରଣ ବିରୋଧୀଙ୍କ ହାତରେ ଚାଇନାର ଅତିକ୍ରମଣ, ପେଗାସସ୍‌ ସ୍ପାଏଓ୍ବେର, ଜରୁରୀ ସାମଗ୍ରୀଗୁଡ଼ିକର ମୂଲ୍ୟବୃଦ୍ଧି ଭଳି ପ୍ରସଙ୍ଗ ରହିଛି। ସରକାରଙ୍କୁ ସବୁଠୁ ଅଡ଼ୁଆରେ ପକାଇବା କୃଷି ଆଇନରୁ ପଛଘୁଞ୍ଚା। କାରଣ ୩ କୃଷି ଆଇନ ଆଣିବାବେଳେ ସରକାର କୌଣସି ଦଳ ସହ ଏହା ଉପରେ ଆଲୋଚନା କରି ନ ଥିଲେ। ଏଥିସହ ଅତି ତରବରିଆ ଭାବେ ଧ୍ୱନିମତରେ ଉକ୍ତ ବିଲ୍‌କୁ ପାରିତ କରାଇନେଇଥିଲେ। ଏବେ ଉତ୍ତରପ୍ରଦେଶ ଓ ପଞ୍ଜାବ ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ସରକାର ଚାଷୀଙ୍କ ଦାବି ଆଗରେ ମୁଣ୍ଡ ନୁଅଁ।ଇବାକୁ ବାଧ୍ୟ ହୋଇଛନ୍ତି। ତେଣୁ ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ବିତର୍କ ସରଗରମ ହେବ ବୋଲି କୁହାଯାଉଛି।
ଏନେଇ ରାଜ୍ୟ ସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ ରବିବାର କହିଛନ୍ତି, କଂଗ୍ରେସ ଦରଦାମ୍‌ ପ୍ରସଙ୍ଗକୁ ଜୋର୍‌ ଦେବ। ୭ ମାସ ଭିତରେ ମୁଦ୍ରାସ୍ଫୀତି ଦୁଇସଂଖ୍ୟା ବଢ଼ିରହିଛି। ମହାମାରୀ ସମୟରେ ମଧ୍ୟ ସାଧାରଣ ଲୋକେ ଜରୁରୀ ସାମଗ୍ରୀ ଚଢ଼ାଦରରେ କିଣିବାକୁ ବାଧ୍ୟ ହୋଇଛନ୍ତି। ସେହିପରି କଂଗ୍ରେସ ନେତା ଆନନ୍ଦ ଶର୍ମା କହିଛନ୍ତି, ସରକାର ଅଗଣତାନ୍ତ୍ରିକ ପ୍ରକ୍ରିୟାରେ ଆଇନ ଆଣିବା ପରିବର୍ତ୍ତେ ଗୁରୁତ୍ୱପୂର୍ଣ୍ଣ ବିଲ୍‌ଗୁଡ଼ିକୁ ପାର୍ଲାମେଣ୍ଟାରି ଷ୍ଟାଣ୍ଡିଂ କମିଟି କିମ୍ବା ସିଲେକ୍ଟ କମିଟିକୁ ପଠାଇବା ଉଚିତ। ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପେଗାସସ୍‌ ଜରିଆରେ ବିରୋଧୀ ଓ ଅସନ୍ତୁଷ୍ଟଙ୍କ ବିରୋଧରେ ଗୁପ୍ତଚରଗିରି କରାଇବା ପ୍ରସଙ୍ଗ ଉଠାଯିବ ବୋଲି ପୂର୍ବରୁ ସ୍ପଷ୍ଟ କରିଛନ୍ତି। ଇତିମଧ୍ୟରେ କଂଗ୍ରେସ ମୁଖପାତ୍ର ଅଭିଷେକ ମନୁ ସିଂଘଭି ମଧ୍ୟ ରବିବାର ଖବରଦାତା ସମ୍ମିଳନୀ ଡାକି ଭାରତୀୟ ଭୂଖଣ୍ଡରେ ଚାଇନାର ଅନୁପ୍ରବେଶକୁ ନେଇ ପ୍ରଧାନମନ୍ତ୍ରୀଙ୍କ ନୀରବତା ଉପରେ ପ୍ରଶ୍ନ ଉଠାଇସାରିଛନ୍ତି।

Share