Categories: ଜାତୀୟ

ନୂତନ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଲେ ବିରୋଧୀ ନେତା

ନୂଆଦିଲ୍ଲୀ,୨୧।୭: ପ୍ରଥମ ଓଡ଼ିଆ ଓ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ବିରୋଧୀ ନେତାଙ୍କ ଶୁଭେଚ୍ଛାର ସୁଅ ଛୁଟିଛି। ଏହିକ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଟୁଇଟ କରି ନବନିର୍ବାଚିତ ରାଷ୍ଟ୍ରପତି ମୁର୍ମୁଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ବିଏସ୍‌ପି ସୁପ୍ରିମୋ ମାୟାବତୀ ମଧ୍ୟ ଟୁଇଟ କରି ଶୋଷିତ ତଥା ଅତ୍ୟନ୍ତ ପଛୁଆ ଆଦିବାସୀ ସମାଜର ମହିଳା ଦ୍ରୌପଦୀ ମୁର୍ମୁ ବିପୁଳ ଭୋଟରେ ଗୁରୁବାର ଦେଶର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଜଣେ ଦକ୍ଷ ଓ ସଫଳ ରାଷ୍ଟ୍ରପତି ଭାବେ ପ୍ରମାଣିତ ହେବେ ବୋଲି ଦେଶର ଆଶା ଅଛି। ତେବେ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିଏସ୍‌ପି ପକ୍ଷରୁ ଦଳରାଜନୀତିରୁ ଉର୍ଦ୍ଧ୍ୱରେ ରହି ତାଙ୍କୁ ସମର୍ଥନ କରିବା ସହ ଭୋଟ ଦେଇଛନ୍ତି ବୋଲି ମାୟାବତୀ କହିଛନ୍ତି।

Share