Categories: ଜାତୀୟ

ନୀତୀଶଙ୍କ ବରଯାତ୍ରୀର ବର କିଏ? ବିରୋଧୀ ଦଳ ବୈଠକ ପୂର୍ବରୁ ଭାଜପାର କଟାକ୍ଷ

ନୂଆଦିଲ୍ଲୀ, ୨୩।୬: ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରତ୍ୟେକ ଥର ଭଳି ବିରୋଧୀ ମଧ୍ୟ ଏଥର ଏକୀକରଣ ଅଭ୍ୟାସ ଆରମ୍ଭ କରିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ସମସ୍ତ ବିରୋଧୀ ଦଳର ନେତା ପାଟନାରେ ଏକାଠି ହେଉଛନ୍ତି, ଯେଉଁଠାରେ ଭାଜପା ବିରୋଧରେ ମହାଗଠବନ୍ଧନକୁ ନେଇ ଏଜେଣ୍ଡା ସ୍ଥିର ହୋଇପାରିବ। ବର୍ତ୍ତମାନ ଭାଜପା ଏହି ବୈଠକକୁ ନେଇ ନୀତୀଶ କୁମାରଙ୍କୁ ସମାଲୋଚନା କରିଛି। ବିରୋଧୀ ଦଳର ବୈଠକ ପୂର୍ବରୁ ଭାଜପା ଏମ୍‌ପି ରବି ଶଙ୍କର ପ୍ରସାଦ କହିଛନ୍ତି, ଯେ ଏହି ବରଯାତ୍ରୀ ତ ସଜାଯାଉଛି, କିନ୍ତୁ ବର କିଏ?

ପାଟନାରେ ଅନୁଷ୍ଠିତ ହେବାକୁ ଥିବା ବିରୋଧୀ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକକୁ ନେଇ ଭାଜପା ଟାର୍ଗେଟ କରୁଥିବାବେଳେ ବିରୋଧୀ ଦଳ କହିଛନ୍ତି ଯେ, ମୋଦି ସରକାରଙ୍କୁ ଚ୍ୟାଲେଞ୍ଜ କରିବାକୁ ସମସ୍ତ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଭାଜପା ନେତା ରବି ଶଙ୍କର ପ୍ରସାଦ ଏ ବିଷୟରେ ପ୍ରଶ୍ନ କରି କହିଛନ୍ତି, ଆମେ ଏହା ମଧ୍ୟ ଶୁଣିଛୁ ଯେ ନୀତୀଶ ବାବୁ ୨୦୨୪ ପାଇଁ ପାଟନାରେ ଏକ ବରଯାତ୍ରୀ ପ୍ରସ୍ତୁତ କରୁଛନ୍ତି, କିନ୍ତୁ ପାଟଣାର ଏହି ବରଯାତ୍ରୀର ବର କିଏ? ତାହା ହେଉଛି ସମସ୍ୟା, ସମସ୍ତେ ପ୍ରଧାନମନ୍ତ୍ରୀ ଦାବିଦାର। ନୀତୀଶ ବାବୁ, ଅରବିନ୍ଦ କେଜ୍‌ରିଓ୍ବାଲ ସମସ୍ତେ ଏକାଠି ଏଜେଣ୍ଡା ଚଳାଉଛନ୍ତି। ରାହୁଲ ଗାନ୍ଧୀ, ଶରଦ ପାୱାର ଏବଂ ମମତା ବାନାର୍ଜୀ ମଧ୍ୟ ଏଥିରେ ସାମିଲ ଅଛନ୍ତି।

Share