Categories: ଜାତୀୟ

ବେଙ୍ଗାଲୁରୁ ବୈଠକରେ ଭାଜପାକୁ ପରାସ୍ତ କରିବା ଲାଗି ହେବ ରଣନୀତି

ନୂଆଦିଲ୍ଲୀ,୧୬ା୭: ୨୦୨୪ ସାଧାରଣ ନିର୍ବାଚନରେ ଭାଜପାକୁ ରୋକବା ପାଇଁ ବିରୋଧୀ ଦଳଗୁଡ଼ିକର ଦ୍ୱିତୀୟ ବୈଠକ ସୋମବାରଠାରୁ ଦୁଇ ଦିନ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ। ବୈଠକରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ଯୋଗ ଦେବାନେଇ ନିଷ୍ପତ୍ତି ନେଇଛି। କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶକୁ କଂଗ୍ରେସ ସମର୍ଥନ କରିବ ନାହିଁ ବୋଲି ରବିବାର ଘୋଷଣା କରିବା ପରେ ବିରୋଧୀ ବୈଠକରେ ଯୋଗଦେବା ନେଇ ଏଏପି ସ୍ପଷ୍ଟ କରିଛି। ଦେଶର ସଂଘୀୟ ବ୍ୟବସ୍ଥାକୁ ଭାଙ୍ଗିବା ପାଇଁ କେନ୍ଦ୍ର ସରକାରଙ୍କ କୌଣସି ଉଦ୍ୟମକୁ ବିରୋଧ କରାଯିବ ବୋଲି କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ କହିଛନ୍ତି।

ଆସନ୍ତା ବର୍ଷ ହେବାକୁ ଥିବା ଲୋକ ସଭା ନିର୍ବାଚନରେ ଭାଜପାକୁ ପରାସ୍ତ କରିବା ଲାଗି ବେଙ୍ଗାଲୁରୁ ବୈଠକରେ ବିରୋଧୀ ଦଳଗୁଡ଼ିକ ରଣନୀତି ପ୍ରସ୍ତୁତ କରିବେ। କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ଏଏପିର ଅଭିଯାନ ଜାରି ରଖିବାକୁ ଦଳର ରାଜନୈତିକ କ୍ରିୟାନୁଷ୍ଠାନ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଏମ୍‌ପି ରାଘବ ଚଢ଼ା କହିଛନ୍ତି। କେନ୍ଦ୍ରର ଦେଶ ବିରୋଧୀ ଅଧ୍ୟାଦେଶକୁ ତୃଣମୂଳ କଂଗ୍ରେସଠାରୁ ଆରମ୍ଭ କରି ଆର୍‌ଜେଡି, ଜେଡିୟୁ, ଏନ୍‌ସିପି, ସମାଜବାଦୀ ପାର୍ଟି, ଉଦ୍ଧବ ଠାକ୍‌ରେଙ୍କ ଶିବସେନା ପକ୍ଷରୁ ବିରୋଧ କରାଯାଇଛି।

Share