ବିଧାନସଭା ଇତିହାସରେ ପ୍ରଥମ: ବାଚସ୍ପତିଙ୍କୁ ଚପଲ ଫିଙ୍ଗିଲେ ବିରୋଧୀ

ଭୁବନେଶ୍ୱର,୩।୪(ବ୍ୟୁରୋ): ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିଛନ୍ତି ବିରୋଧୀ ଦଳର ବିଧାୟକ। ଶନିବାର ଏଭଳି ଏକ ଅଭାବନୀୟ ଦୃଶ୍ୟ ବିଧାନସଭାରେ ଦେଖିବାକୁ ମିଳିଛି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମୁଲତବୀ ପ୍ରସ୍ତାବ ଗ୍ରହଣ ନ କରିବା ଏବଂ ବିରୋଧୀ ଦଳ ନେତାଙ୍କୁ କହିବାକୁ ସୁଯୋଗ ନ ଦେବା ଅଭିଯୋଗ ଆଣି ବିରୋଧୀ ଦଳ ପକ୍ଷରୁ ଏଭଳି ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରାଯାଇଛି। ବିନା ଆଲୋଚନାରେ ଲୋକାୟୁକ୍ତ ସଂଶୋଧନ ବିଲ୍‌କୁ ପାସ କରିଥିବାରୁ ବିରୋଧ କରି ଚପଲ ଫିଙ୍ଗିଥିବା ଅଭିଯୋଗ ହୋଇଛି। ତେବେ ଭାଜପା ବିଧାୟକ ବିଷ୍ଣୁ ସେଠୀ ଏବଂ ଜୟନାରାୟଣ ମିଶ୍ର ଏହା କରିଥିବା ନେଇ ଶାସକ ଦଳ ମୁଖ୍ୟ ସଚେତନ ପ୍ରମିଳା ମଲ୍ଲିକ ଅଭିଯୋଗ କରିଛନ୍ତି।

ବିଧାନସଭାରେ ଲୋକାୟୁକ୍ତ ସଂଶୋଧନ ବିଲ୍‌କୁ ପାରିତ କରାଯାଇଥିଲା। ହେଲେ ବିନା ଆଲୋଚନାରେ ବିଲ୍‌ ପାସ୍‌ କରିଥିବାରୁ ବିରୋଧୀ ଏହାକୁ ନେଇ ହୋହଲ୍ଲା କରିଥିଲେ। ବିରୋଧୀ ଦଳ ନେତାଙ୍କୁ କହିବାକୁ ସୁଯୋଗ ଦିଆଯାଇ ନ ଥିବା ସେମାନେ ଅଭିଯୋଗ କରିଥିଲେ। ପରିସ୍ଥିତି ଏଭଳି ଆସିଥିଲା ଯେ ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ିବାକୁ ଚେଷ୍ଟା କରିବା ସହ ଇଅରଫୋନ୍‌, କାଗଜ, ଚପଲ ଆଦି ଫିଙ୍ଗିଥିଲେ। ବିରୋଧୀଙ୍କ ଏଭଳି ହଙ୍ଗାମା ଯୋଗୁ ଗୃହକୁ ୪ଟା ଯାଏ ମୁଲତବୀ ଘୋଷଣା କରାଯାଇଥିଲା। ଏନେଇ ବିଷ୍ଣୁ ପ୍ରତିକ୍ରିୟା ରଖି କହିଥିଲେ, ବିନା ଆଲୋଚନାରେ ବିଲ୍‌ ପାରିତ ହେଉଛି। କେହି ଜଣେ ନୂଆ ବିଧାୟକ ଫିଙ୍ଗିଛନ୍ତି। ମୁଁ ଚପଲ ଫିଙ୍ଗିନାହିଁ। ସାମ୍ବିଧାନିକ ବିଧି ବ୍ୟବସ୍ଥାର ପାଳନ ବାଚସ୍ପତି କରୁନାହାନ୍ତି ବୋଲି ସେ କହିଛନ୍ତି। ସେହିଭଳି ଜୟନାରାୟଣ କିଛି ପଶ୍ଚାତାପ କରିବାର ନାହିଁ ବୋଲି କହିଛନ୍ତି। ତେବେ ଏହି ଘଟଣା ବିଧାନସଭା ଇତିହାସରେ କେବେ ହେଲେ ଏଭଳି ଅଭାବନୀୟ ଘଟଣା ଘଟି ନ ଥିବା କୁହାଯାଉଛି। ଏଥିସହ ବାଚସ୍ପତି ପୁରା ଘଟଣାର ତର୍ଜମା କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

Share