Categories: ଜାତୀୟ

‘ଇଣ୍ଡିଆ’ର ତୃତୀୟ ବୈଠକ: ସଭା ସ୍ଥାନ ବାହାରେ ଲାଗିଲା ସାଫ୍ରନ୍‌ ପତାକା

ମୁମ୍ବାଇ,୩୧ା୮: ବିରୋଧୀ ବ୍ଲକ୍‌ ଇଣ୍ଡିଆନ୍‌ ନ୍ୟାଶନାଲ ଡେଭେଲପ୍‌ମେଣ୍ଟାଲ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ)ର ତୃତୀୟ ବୈଠକ ଗୁରୁବାର ମୁମ୍ବାଇରେ ଆରମ୍ଭ ହେଉଛି। ଏହାପୂର୍ବରୁ ବିମାନବନ୍ଦର ଏବଂ ସଭା ସ୍ଥାନ ବାହାରେ ସାଫ୍ରନ୍‌ ପତାକା ଲଗାଯାଇଛି। ଏହି ପତାକାକୁ ଉଦ୍ଧବ ଠାକରେ ଗୋଷ୍ଠୀ(ୟୁବିଟି) ଲଗାଇ କହିଥିଲେ ଯେ, ହିନ୍ଦୁତ୍ୱ ଆମର ପରିଚୟ।
ୟୁବିଟି ସଚିବ ସନ୍ତୋଷ କଦମ କହିଛନ୍ତି, ହିନ୍ଦୁତ୍ୱ ଆମର ପରିଚୟ ଏବଂ ଭାରତରେ ରହୁଥିବା ସମସ୍ତ ଲୋକ ହିନ୍ଦୁ ଅଟନ୍ତି। ଅବଶିଷ୍ଟ ସହଯୋଗୀ ଦଳ ମଧ୍ୟ ଏଥିରେ ସହମତ ହେବେ। ଏଥି ସହିତ ମୁମ୍ବାଇର ରାସ୍ତାରେ ସମସ୍ତ ବିରୋଧୀଦଳର ନେତାଙ୍କୁ ସ୍ବାଗତ କରୁଥିବା ପୋଷ୍ଟରରେ ଦେଖାଯାଇଛି। ଯେଉଁ ନେତାଙ୍କ ପୋଷ୍ଟର ଲଗାଯାଇଛି ସେମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସଭାପତି ମମତା ବାନାର୍ଜୀ, ସିପିଆଇଏମ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଏବଂ ନ୍ୟାଶନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା ଅଛନ୍ତି।
ଏହି ୨ ଦିନିଆ ସମାବେଶରେ ମେଣ୍ଟ ପାଇଁ ଏକ ସମନ୍ବୟ ସମିତି ଘୋଷଣା ସହ ଲୋଗୋ ଜାରି କରାଯିବ। ପରସ୍ପର ମଧ୍ୟରେ ଥିବା ମତଭେଦକୁ ଦୂରକରି ୨୦୨୪ ଲୋକ ସଭା ନିର୍ବାଚନ ସକାଶେ ଇଣ୍ଡିଆ ପକ୍ଷରୁ ମିଳିତ ରଣନୀତି ପ୍ରସ୍ତୁତ କରାଯିବ। ମେଣ୍ଟର ସମାନ ସର୍ବନିମ୍ନ କାର୍ଯ୍ୟସୂଚୀ ଚିଠା ପ୍ରସ୍ତୁତ, ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ଲାଗି ମିଳିତ ଯୋଜନା ଏବଂ ଆସନ ଭାଗବଣ୍ଟା କରିବା ପାଇଁ କେତୋଟି କମିଟି ମଧ୍ୟ ଗଠନ କରାଯିବ।

Share