ନୂଆଦିଲ୍ଲୀ,୨୦।୯: ରାଜ୍ୟ ସଭାରେ ଉତ୍ତେଜନା ମଧ୍ୟରେ ରବିବାର ଦୁଇଟି କୃଷି ବିଲ ପାରିତ ହୋଇଛି। ଏହାକୁ ବିରୋଧ କରି ବିରୋଧୀ ଏମ୍ପିମାନେ ରାଜ୍ୟ ସଭାର ଉପାଧ୍ୟକ୍ଷ ହରିବଂଶ ନାରାୟଣଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଗତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସଭା ଉପାଧ୍ୟକ୍ଷ ଗଣତାନ୍ତ୍ରିକ ପରମ୍ପରାକୁ ସୁରକ୍ଷା ଦେବା ଉଚିତ୍। କିନ୍ତୁ ତାଙ୍କ ମନୋଭାବ ଆଜି ଗଣତାନ୍ତ୍ରିକ ପରମ୍ପରା ଏବଂ ପ୍ରକ୍ରିୟାକୁ କ୍ଷତି ପହଞ୍ଚାଇଛି। ତେଣୁ ତାଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଗତ କରିବାକୁ ନିଷ୍ପତ୍ତି ନେଇଛୁ ବୋଲି କଂଗ୍ରେସର ରାଜ୍ୟ ସଭା ଏମ୍ପି ଅହମ୍ମଦ ପଟେଲ କହିଛନ୍ତି। ଆଜିର ଦିନ ଇତିହାସରେ କଳା ଦିନ ଭାବରେ ସ୍ମରଣୀୟ ହୋଇ ରହିବ। ଗଣତନ୍ତ୍ର ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ହତ୍ୟା କରାଯାଇ କୃଷି ବିଲ୍ ଆଗତ କରାଯାଇଥିବା ସେ କହିଛନ୍ତି। ୧୨ଟି ବିରୋଧୀ ଦଳ ରାଜ୍ୟ ସଭାର ଉପାଧ୍ୟକ୍ଷଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିଛନ୍ତି।