ନୂଆଦିଲ୍ଲୀ, ୬ା୬: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡ଼ିକ ଏକାଠି କରିବା ଲାଗି ଉଦ୍ୟମ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ବିହାରର ପାଟନାରେ ଜୁନ୍ ୧୨ରେ ପ୍ରଥମ ବିରୋଧୀ ଦଳ ବୈଠକ ଅନୁଷ୍ଠିତ ହୋଇ ଏହା ଉପରେ ଆଲୋଚନା କରିବା କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ହେଲେ ଉକ୍ତ ବୈଠକକୁ ୨୩ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ୨୦୨୪ ସାଧାରଣ ନିର୍ବାଚନରେ ଭାଜପା ନେତୃତ୍ୱାଧୀନ ଏନ୍ଡିଏ ବିରୋଧରେ ସମଭାବାପନ୍ନ ଦଳଗୁଡ଼ିକୁ ଏକାଠି କରିବା ଦିଗରେ ନେତୃତ୍ୱ ନେଉଥିବା ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତୀଶ କୁମାର ୧୨ ତାରିଖରେ ପ୍ରଥମ ବିରୋଧୀ ଦଳ ବୈଠକ ପାଇଁ ନିଷ୍ପତ୍ତି ନେଇଥିଲେ। ଏ ସମ୍ପର୍କରେ ସେ ବିରୋଧୀ ନେତାମାନଙ୍କୁ ଜଣାଇଥିଲେ। ତେବେ କଂଗ୍ରେସ, ଡିଏମ୍କେ, ସିପିଆଇ-ଏମ୍ର ଅନୁରୋଧ କ୍ରମେ ଏହାକୁ ୨୩ ତାରିଖରେ ଘୁଞ୍ଚାଇ ଦିଆଯାଇଥିବା ଜଣାପଡ଼ିଛି। ୧୨ ତାରିଖ ବୈଠକ ସ୍ଥଗିତ ରଖିବାକୁ ଡିଏମ୍କେ ନେତା ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ୍ ଏବଂ କଂଗ୍ରେସ ପକ୍ଷରୁ ଅନୁରୋଧ କରାଯାଇଥିଲା।