ବିଜେଡି ନେତାଙ୍କୁ ବଦ୍‌ନାମ କରିବାକୁ ବିରୋଧୀ ଦଳର ଏହା ହୀନ ଚକ୍ରାନ୍ତ: ବିଜେଡି

ତିହିଡ଼ି,୩୦ା୫(ସଞ୍ଜିତ ବଳ): ଚାନ୍ଦବାଲି ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନ ତିହିଡ଼ି ବ୍ଲକର ଦୌଲତପୁର ପଞ୍ଚାୟତରେ ମପେକ୍ଷ ଅସୁସ୍ଥ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ନେଇ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ବିଜେଡି ନେତାଙ୍କୁ ଦାୟୀ କରାଯାଇଥିବାରୁ ଦଳର ନେତାଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ସେମାନେ ଏହାକୁ ନିନ୍ଦା କରିଛନ୍ତି। ନିର୍ବାଚନ ପୂର୍ବରୁ ବିଜେଡିକୁ ବଦ୍‌ନାମ କରିବାକୁ ବିରୋଧୀ ଦଳର ଏହା ହୀନ ଚକ୍ରାନ୍ତ ବୋଲି  ବିଜେଡି ନେତାମାନେ ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ଦର୍ଶାଇବା ସହ ଏହି ମିଥ୍ୟା ଅଭିଯୋଗ ବିରୋଧରେ ଅଦାଲତର ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି।
ପିରହାଟ ବଜାରସ୍ଥିତ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସରପଞ୍ଚ ପ୍ରଭାତ କୁମାର ମିଶ୍ର, ସମିତିସଭ୍ୟାଙ୍କ ପ୍ରତିନିଧି ଗୋପବନ୍ଧୁ ସେନାପତି ଏବଂ ଯୁବନେତା ହିମାଦ୍ରୀ ମିଶ୍ର ଦର୍ଶାଇଥିଲେ ଯେ, ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଷାକ୍ତ ମଦ ପିଇ କିଛି ଲୋକଙ୍କର ମୃତ୍ୟୁ ଘଟିଥିଲା। ସେନେଇ ବିଜେଡିକୁ ବଦ୍‌ନାମ କରିବାକୁ ବିରୋଧୀମାନେ ଉଦ୍ୟମ କରିଥିଲେ। କିଛିଦିନ ପୂର୍ବେ ମଦ ପିଇ ଅସୁସ୍ଥ ହୋଇଥିବା ବ୍ୟକ୍ତି ଜଣକ ବିଜେଡି ଦଳର ନୁହନ୍ତି। ସେ ଅନ୍ୟ ଏକ ଦଳର ନିର୍ବାଚନୀ ସମାବେଶରେ ଯୋଗଦେଇ ମଦ ପିଇଥିଲେ ଏବଂ ସନ୍ଧ୍ୟାରେ ମଧ୍ୟ ଭୋଜି କରି ମଦ ପିଇବାରୁ ଅସୁସ୍ଥ ହୋଇପଡ଼ିଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ବିରୋଧୀ ଦଳ ପକ୍ଷରୁ ଏହି ଘଟଣା ଲାଗି କେତେଜଣ ବିଜେଡି ନେତାଙ୍କୁ ଦାୟୀ କରି ଭିଡିଓ ଭାଇରାଲ କରାଯାଇଛି। ଏହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି କୁହାଯାଇଛି। ବିଜେଡି ନେତା ଅକ୍ଷୟ ବଳ, ଅଜୟ ବେହେରା, ବିଜୟ ବାରିକ, ରଞ୍ଜନ ଦାସ, ପ୍ରଶାନ୍ତ ଜେନା, ସିତାକାନ୍ତ ରାଉତ, କାର୍ତ୍ତିକ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।