Categories: ଜାତୀୟ

ବିରୋଧୀଙ୍କ ହଟ୍ଟଗୋଳ: ଗୃହ ମୁଲତବୀ

ନୂଆଦିଲ୍ଲୀ,୨୦ା୭: ପାର୍ଲାମେଣ୍ଟର ମୋସୁମୀ ଅଧିବେଶନର ଦ୍ୱିତୀୟ ଦିନ ଅର୍ଥାତ ମଙ୍ଗଳବାର ମଧ୍ୟ ଦରଦାମ ବୃଦ୍ଧି, ବେରୋଜଗାରୀ, ଅଗ୍ନିପଥ ଯୋଜନା ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଛନ୍ତି। ଫଳରେ ଉଭୟ ଲୋକ ସଭା ଏବଂ ରାଜ୍ୟ ସଭାକୁ ବୁଧବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଲୋକ ସଭା ଅଧିବେଶନ ଆରମ୍ଭ ହେବା କ୍ଷଣି ବିରୋଧୀ କଂଗ୍ରେସ ସମେତ ଅନ୍ୟ ଦଳଗୁଡ଼ିକ ହୋହଲ୍ଲା କରିଥିଲେ। ଫଳରେ ଗୃହ ଚାଲିପାରି ନ ଥିଲା। ବାଚସ୍ପତି ଓମ୍‌ ବିର୍ଲା ଲୋକ ସଭାକୁ ବୁଧବାର ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ। ଏହାପୂର୍ବରୁ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳର ସଦସ୍ୟମାନେ ପାର୍ଲାମେଣ୍ଟ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ସେହିପରି ରାଜ୍ୟ ସଭାରେ ମଧ୍ୟ ବିରୋଧୀ ଦରଦାମ ବୃଦ୍ଧି, ଖାଦ୍ୟ ସାମଗ୍ରୀ ଉପରେ ଜିଏସ୍‌ଟି ଲାଗୁ, ଏମ୍‌ଏସ୍‌ପି ଓ ଅନ୍ୟ ପ୍ରସଙ୍ଗରେ ଆଲୋଚନା ଦାବି କରି ବିକ୍ଷୋଭ କରିଥିଲେ। ତେଣୁ ବୁଧବାର ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ରାଜ୍ୟ ସଭା କାର୍ଯ୍ୟ ସ୍ଥଗିତ ରଖାଯାଇଛି।

Share