କୃଷି ଆଇନକୁ ବିରୋଧ: ଭାରତ ବନ୍ଦକୁ ସ୍ବତଃସ୍ଫୁର୍ତ୍ତ ସମର୍ଥନ

ବରଗଡ଼ ଅଫିସ,୨୬।୩: ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ବାନକ୍ରମେ କେନ୍ଦ୍ର ସରକାରଙ୍କ ୩ ନୂଆ କୃଷି ଆଇନ ବିରୋଧରେ ଶୁକ୍ରବାର ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ବରଗଡ଼ରେ ସ୍ବତଃସ୍ଫୁର୍ତ୍ତ ସମର୍ଥନ ମିଳିଛି। ସକାଳୁ ଦୋକାନ, ବଜାର ବନ୍ଦ ରହିଥିବା ବେଳେ ବରଗଡ଼ ଗାନ୍ଧୀଛକ ସମେତ ଜିଲାର ବିଭିନ୍ନ ସ୍ଥାନରେ ଜୟ କିଷାନ ଆନ୍ଦୋଳନ ଏବଂ ପଶ୍ଚିମ ଓ କୃଷକ ସଂଗଠନ ସମନ୍ବୟ ସମିତିର ପ୍ରତିନିଧିମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଫଳରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ସେହିପରି ପିକେଟିଂ କରି ସ୍ଥାନୀୟ ପେଟ୍ରୋଲ ପମ୍ପ ଏବଂ ସରକାରୀ ଅଫିସଗୁଡିକୁ ବନ୍ଦ କରି ଦିଆଯାଇଥିବା ଦେଖିବାକୁ ମିଳିଛି। ତେବେ ଅତ୍ୟାବଶ୍ୟକୀୟ ତଥା ଜରୁରିକାଳୀନ ସେବା ଯୋଗାଉଥିବା ଅଫିସ, ଗାଡ଼ି ଆଦିକୁ ଏଥିରୁ ବାଦ୍‌ ଦିଆଯାଇଛି। କଂଗ୍ରେସ, ଆମ ଆଦମୀ ପାର୍ଟି ସମେତ ବିଭିନ୍ନ ସଂଗଠନ ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି। ବରଗଡ଼ ପଶ୍ଚିମ ଓ କୃଷକ ସଂଗଠନ ସମନ୍ବୟ ସମିତିର ଆବାହକ ଲିଙ୍ଗରାଜ, ଚାଷୀନେତା ରମେଶ ମହାପାତ୍ର, ଜୟ କିଷାନ ଆନ୍ଦୋଳନର ଲକ୍ଷ୍ମଣ ସୁନା, ଏମଡି ନିଜାମ ପ୍ରମୁଖ ନେତୃତ୍ୱ ନେଉଥିବା ବେଳେ ଆମ୍‌ ଆଦମୀ ପାର୍ଟିର ଜିଲା ଆବାହକ ଭବାନୀ ପ୍ରସାଦ ସାହୁ, ଜିଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ, ନିପନ କୁମାର ଦାଶ, ସମ୍ବିଧାନ ସୁରକ୍ଷା ମଞ୍ଚର ପବିତ୍ର ଦେହୁରୀ, ବାଳକିଶୋର ଛତର ପ୍ରମୁଖ ଉପସ୍ଥିତ ରହି ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି। ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ରହିଥିବା ପରିଲକ୍ଷିତ ହୋଇଛି।

Share