Categories: ଜାତୀୟ

ଏନ୍‌ସିଇଆର୍‌ଟି ପାଠ୍ୟପୁସ୍ତକରେ ପରିବର୍ତ୍ତନକୁ ବିରୋଧ

ନୂଆଦିଲ୍ଲୀ,୧୦ା୬(ପି.ଟି.): ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି) ନିକଟରେ ସ୍କୁଲ ପାଠ୍ୟପୁସ୍ତକଗୁଡ଼ିକରୁ ବହୁ ବିଷୟ ଅଯଥା କାଟିଦେବା ଓ ହଟାଇଦେଇଥିବାରୁ ପୁସ୍ତକର ଉପଦେଷ୍ଟାମାନେ ଏହାର ପ୍ରତିବାଦ କରିଛନ୍ତି। ୨୦୦୬-୦୭ରେ ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ପ୍ରଥମେ ପ୍ରକାଶିତ ରାଜନୀତି ବିଜ୍ଞାନ ପୁସ୍ତକର ମୁଖ୍ୟ ଉପଦେଷ୍ଟା ଥିବା ସୁହାସ ପାଲଶିକର ଏବଂ ଯୋଗେନ୍ଦ୍ର ଯାଦବ ଏନ୍‌ସିଇଆର୍‌ଟିକୁ ପତ୍ର ଲେଖି ବର୍ତ୍ତମାନର ପାଠ୍ୟପୁସ୍ତକରୁ ସେମାନଙ୍କ ନାଁ ବାଦ୍‌ ଦେବାକୁ ଅନୁରୋଧ କରିଛନ୍ତି। ରାଜନୀତି ବିଜ୍ଞାନ ପୁସ୍ତକରୁ ୨୦୦୨ ଗୁଜରାଟ ଦଙ୍ଗା ସମ୍ପର୍କିତ ବିଷୟକୁ ବାଦ୍‌ ଦିଆଯାଇଥିବାବେଳେ ମୋଗଲ ଯୁବ ଏବଂ ଜାତିପ୍ରଥା ବିଷୟକୁ କାଟ୍‌ଛାଣ୍ଟ କରାଯାଇଛି। ପୁସ୍ତକରେ ମନଇଚ୍ଛା ପରିବର୍ତ୍ତନ ସେମାନଙ୍କୁ ଲଜ୍ଜିତ କରିଥିବା ଉପଦେଷ୍ଟାମାନେ କହିଛନ୍ତି। ପାଲଶିକର ଜଣେ ଶିକ୍ଷାବିତ୍‌ ଏବଂ ରାଜନୀତି ବିଜ୍ଞାନ ବିଶାରଦ। ଯାଦବ ରାଜନୀତି ବିଜ୍ଞାନୀ ଓ ସ୍ବରାଜ ଇଣ୍ଡିଆ ନେତା। ସେମାନଙ୍କ ସହ କୌଣସି ପରାମର୍ଶ ନ କରି ଏନ୍‌ସିଆର୍‌ଟି ପାଠ୍ୟପୁସ୍ତକରେ ପରିବର୍ତ୍ତନ କରିଥିବା ସେମାନେ ଅଭିଯୋଗ କରିଛନ୍ତି। ପାଠ୍ୟପୁସ୍ତକରୁ ବିଭିନ୍ନ ବିଷୟକୁ ବାଦ୍‌ ଦିଆଯିବାକୁ ନେଇ ଏନ୍‌ସିଇଆର୍‌ଟି ବିବାଦ ମଧ୍ୟରେ ରହିଛି। ଶିକ୍ଷାବିତ୍‌ ଏବଂ ରାଜନେତାମାନେ ଏହାକୁ ବିରୋଧ କରିଆସୁଛନ୍ତି।

Share