ଭେଣ୍ଡିଂ ଜୋନ୍‌ ନିର୍ମାଣକୁ ବିରୋଧ

ଦେବଗଡ଼,୭ା୧୨(ଡି.ଏନ୍‌.ଏ.): ସ୍ଥାନୀୟ ଟାଉନ୍‌ ହଲ୍‌ ସମ୍ମୁଖରେ ଭେଣ୍ଡିଂ ଜୋନ୍‌ ନିର୍ମାଣକୁ ବିରୋଧ କରି ବୁଧବାର ପୌରପରିଷଦର କେତେକ କାଉନସିଲର ଏସ୍‌ପି ପ୍ରମୋଦ କୁମାର ରଥଙ୍କୁ ସାକ୍ଷାତ କରି ଆଲୋଚନା କରିବା ସହ ଦାବିପତ୍ର ପ୍ରଦାନ କରିଥିଲେ। ଭେଣ୍ଡିଂ ଜୋନ୍‌ ନିର୍ମାଣ ହେଲେ ଟ୍ରାଫିକ୍‌ ସମସ୍ୟା ଦେଖା ଦେବା ନେଇ ପୌର ପରିଷଦର ଉପନଗରପାଳ ଓ କାଉନସିଲରମାନେ ଲିଖିତ ଅଭିଯୋଗ କରିଛନ୍ତି। ସେମାନଙ୍କର ଅଭିଯୋଗ ଅନୁଯାୟୀ,ଦେବଗଡ଼ ପୌରପରିଷଦର ଟାଉନ ହଲ୍‌ ସମ୍ମୁଖରେ ପୂର୍ବରୁ ଥିବା ଦୋକାନ ଗୃହଗୁଡ଼ିକୁ ତତ୍‌କାଳୀନ ଜିଲାପାଳ ରାସ୍ତାର ପ୍ରଶସ୍ତିକରଣ ଉଦ୍ଦେଶ୍ୟରେ ଅନ୍ୟତ୍ର ସ୍ଥାନାନ୍ତର କରି ଜନସାଧାରଣଙ୍କ ଯାତାୟାତର ସୁବିଧା କରାଇଥିଲେ। ଟାଉନ ହଲ୍‌ରେ ବିଭିନ୍ନ ସମୟରେ ସରକାରୀ,ବେସରକାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଫଳରେ ଟାଉନ ହଲ୍‌ ସମ୍ମୁଖରେ ଯାନବାହନ ପାର୍କିଂ ପାଇଁ ସୁବିଧାଜନକ ହୋଇଥାଏ। ସେଥିପାଇଁ ଉକ୍ତ ରାସ୍ତାର ଦୁଇ ପାର୍ଶ୍ୱରେ କୌଣସି ଦୋକାନ ଗୃହ ତିଆରି ପାଇଁ କାହାକୁ ହେଲେ ଅନୁମତି ଦିଆଗଲାନାହିଁ । ବର୍ତ୍ତମାନ ବିନା କାଉନସିଲ ଅନୁମୋଦନରେ ପୌର ପରିଷଦ ପକ୍ଷରୁ ଉକ୍ତ ଟାଉନ ହଲ୍‌ ସମ୍ମୁଖରେ ଏକ ଫୁଡ୍‌ ଜୋନ୍‌ ନର୍ମାଣ ହେବାକୁ ଯାଉଛି। ଯଦି ଉକ୍ତ ସ୍ଥାନରେ ଫୁଡ୍‌ ଜୋନ୍‌ ତିଆରି ହେଲେ ଟ୍ରାଫିକ ସମସ୍ୟା ବହୁଳ ମାତ୍ରାରେ ଦେଖାଯିବ ଓ ଜନସାଧାରଣଙ୍କ ଯାତାୟାତରେ ବହୁ ଅସୁବିଧା ଦେଖାଦେବ।

ଉଲ୍ଲେଖଯୋଗ୍ୟ, ଉକ୍ତ ସ୍ଥାନରେ ଟ୍ରାଫିକ୍‌ ସମସ୍ୟା କାରଣରୁ ପୂର୍ବରୁ ଦୋକାନ ଗୃହ ଭାଙ୍ଗି ଉକ୍ତ ରାସ୍ତାର ପ୍ରଶସ୍ତିକରଣ କରାଇଥିଲେ। ଉକ୍ତ ସ୍ଥାନରେ ଯେମିତି ଭବିଷ୍ୟତରେ ଟ୍ରାଫିକ୍‌ ସମସ୍ୟା ରହିବ ନାହିଁ ସେଥିପାଇଁ ବିହିତ ପଦକ୍ଷେପ ଗ୍ରହଣ କରାଯାଇ ଫୁଡ୍‌ ଜୋନର ନିର୍ମାଣ କାର୍ଯ୍ୟ ବନ୍ଦ କରାଯାଇ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବି ହେଉଛି। ଉକ୍ତ ଦାବିପତ୍ର ପ୍ରଦାନ ବେଳେ ଉପ ନଗରପାଳ ପ୍ରଜିତ୍‌ ଭୋଜ, କାଉନସିଲର ସରୋଜିନି ମୁଣ୍ଡା, ପିଙ୍କି ସାହୁ, ମଧୁସୂଦନ ବାଘ, କାର୍ତ୍ତିକ ମହାକୁଲ ପ୍ରମୁଖ ଉପସ୍ଥିତ ଥିଲେ।