ଇଥାନଲ ପ୍ଲାଣ୍ଟକୁ ବିରୋଧ

ବରଗଡ଼,୧୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବରଗଡ଼ ବ୍ଲକର ଏସ୍‌. ଡୁମ୍ବେରପାଲି ଏବଂ ସୋହେଲା ବ୍ଲକ ଅଧୀନ ଲେବିଡ଼ି ପଞ୍ଚାୟତରେ ନିର୍ମାଣାଧୀନ ଇଥାନଲ ପ୍ଲାଣ୍ଟକୁ ନେଇ ବିରୋଧ ତେଜିଛି। ଏନେଇ ସୋମବାର ଅଞ୍ଚଳବାସୀ ଜିଲାପାଳଙ୍କୁ ଫେରାଦ ହୋଇଛନ୍ତି। ଜିଲାପାଳ ମୋନିଷା ବାନାର୍ଜୀଙ୍କ ଉଦ୍ଦେଶ୍ୟରେ ଗ୍ରାମବାସୀ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଇଥାନଲ ପ୍ଲାଣ୍ଟ ନିର୍ମାଣ ପାଇଁ ସ୍ବୀକୃତି ନ ଦେବା ପାଇଁ ଅଞ୍ଚଳବାସୀ ଜିଲାପାଳଙ୍କୁ ନିବେଦନ କରିଛନ୍ତି।

ପ୍ରକାଶ ଯେ, ଲେବିଡ଼ି ପଞ୍ଚାୟତର ଭାତବିଡ଼ା, ଚେପଟିବାହାଲ ନିକଟରେ ଏକ ଇଥାନଲ ପ୍ଲାଣ୍ଟ ନିର୍ମାଣାଧୀନ ରହିଛି। ପ୍ଲାଣ୍ଟ ଯେଉଁଠାରେ ନିର୍ମାଣ କରାଯାଉଛି, ସେହି ସ୍ଥାନ ନିକଟରେ ଏସ୍‌. ଡୁମ୍ବେରପାଲି, ବନବାସପାଲି, ନୂଆପାଲି, ଛତାପଥର, ପିପିଲିପାଲି, ସୋର୍ଣ୍ଣାପାଲି, ସାଲେପାଲି, ଭାତବିଡ଼ା, ଲେବିଡ଼ି, ଚେପଟିବାହାଲ, କୁଲିତାଡ଼ିହି ଆଦି ଗ୍ରାମ ଅବସ୍ଥିତ।

ପ୍ଲାଣ୍ଟ ନିର୍ମାଣଧୀନ ସ୍ଥାନ ଉପରୋକ୍ତ ଗ୍ରାମଗୁଡ଼ିକରୁ ମାତ୍ର ଅଧ କି.ମିରୁ ୨କି.ମି ଦୂରତା ମଧ୍ୟରେ ରହିଛି। ଜନବସତି ଅଞ୍ଚଳରେ ପ୍ଲାଣ୍ଟ ନିର୍ମାଣ କରାଯାଉଥିବା ଯୋଗୁ ପ୍ଲାଣ୍ଟର କୁପ୍ରଭାବ ସ୍ଥାନୀୟ ଲୋକଙ୍କ ଉପରେ ପଡ଼ିବ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେହିପରି ଉକ୍ତ ଇଥାନଲ ପ୍ଲାଣ୍ଟ ନିର୍ମାଣ ପୂର୍ବରୁ ଅଞ୍ଚଳବାସୀଙ୍କୁ ନେଇ କୌଣସି ଜନଶୁଣାଣି ହୋଇ ନ ଥିବା ଗ୍ରାମବାସୀ କହିଛନ୍ତି । ବିନା ଜନଶୁଣାଣି ଏବଂ ଉଭୟ ଏସ. ଡୁମ୍ବେରପାଲି, ଲେବିଡ଼ି ପଞ୍ଚାୟତବାସୀଙ୍କ ମତାମତ ନ ନେଇ ସେଠାରେ ପ୍ଲାଣ୍ଟ ନିର୍ମାଣ କରାଯାଉଛି। ଫଳରେ ସମ୍ପୃକ୍ତ ଜାଗାରେ ଇଥାନଲ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ଦିଗରେ ପଦକ୍ଷେପ ନେବା ପାଇଁ ଅଞ୍ଚଳବାସୀ ଜିଲାପାଳଙ୍କୁ ନିବେଦନ କରିଛନ୍ତି ।

Share