Categories: ଜାତୀୟ

ଆଇପିଏସ୍‌ ଅଧିକାରୀଙ୍କ ଡେପୁଟେଶନକୁ ବିରୋଧ: ମାମଲା ସୁପ୍ରିମ୍‌କୋର୍ଟରେ ଖାରଜ

ନୂଆଦିଲ୍ଲୀ,୧।୩: ପଶ୍ଚିମବଙ୍ଗରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଗସ୍ତ ସମୟରେ ହୋଇଥିବା ଆକ୍ରମଣ ଘଟଣାରେ କେନ୍ଦ୍ର ସରକାର ରାଜ୍ୟ କ୍ୟାଡରର ୩ ଆଇପିଏସ୍‌ ଅଧିକାରୀଙ୍କୁ ଡେପୁଟେଶନରେ ପଠାଇବାର ଯୋଜନା କରିଥିଲେ। ଏନେଇ କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଥିଲା। ତେବେ ଏହାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାର ବିରୋଧ କରିବା ସହିତ ଭୋଳାନାଥ ପାଣ୍ଡେ, ପ୍ରବୀଣ ତ୍ରିପାଠି ଏବଂ ରାଜୀବ ମିଶ୍ରା ଆଦି ଆଇପିଏସ୍‌ ଅଧିକାରୀଙ୍କୁ ରିଲିଜ୍‌ କରି ନ ଥିଲେ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ବିରୋଧରେ ପଶ୍ଚିମବଙ୍ଗର ଆଇନଜୀବୀ ଅବୁ ସୋହେଲ ସୁପ୍ରିମ୍‌କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ମାତ୍ର ସୁପ୍ରିମ୍‌କୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି। ଏହା ଉପରେ ବିଚାର କରିବାକୁ କୋର୍ଟ ମନା ଦେଇଛନ୍ତି। ଫଳରେ ମମତା ଦିଦିଙ୍କୁ ବଡ଼ ଝଟ୍‌କା ଲାଗିଛି। କୌଣସି ରାଜ୍ୟରେ ଆବଣ୍ଟିତ କ୍ୟାଡର ଅନୁସାରେ କାର୍ଯ୍ୟ କରୁଥିବା ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ର ସରକାର ନିଜ ଇଛା ଅନୁସାରେ ଡେପୁଟେଶନରେ ପଠାଇପାରିବେ। ଏଥିରେ ରାଜ୍ୟ ସରକାରଙ୍କ ସହମତି ନ ଥିଲେ ମଧ୍ୟ ଚଳିବ। ଏହା ଇଣ୍ଡିଆନ୍‌ ପୋଲିସ ସର୍ଭିସ୍‌ କ୍ୟାଡର ରୁଲସ୍‌-୧୯୫୪ର ନିୟମ-୬(୧)ରେ ଉଲ୍ଲେଖ କରାଯାଇଛି। ଏହାକୁ ବିଚାରପତି ଏଲ୍‌.ନାଗେଶ୍ୱର ରାଓ ଏବଂ ଏସ୍‌. ରବୀନ୍ଦ୍ର ଭାଟ୍‌ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଦୋହରାଇଛନ୍ତି। କ୍ୟାଡର ରୁଲସ୍‌ରେ କେନ୍ଦ୍ର ସରକାରଙ୍କ ନିଷ୍ପତିକୁ ପ୍ରାଥମିକତା ପ୍ରଦାନ କରାଯାଇଛି। ଆଇପିଏସ୍‌ ଅଧିକାରୀଙ୍କ ନିଯୁକ୍ତି କେନ୍ଦ୍ର ସରକାର କରିଥାନ୍ତି। ଏହାପରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଅଧିକାରୀଙ୍କ କ୍ୟାଡର ଆବଣ୍ଟନ କରାଯାଇଥାଏ। ମାତ୍ର ଆବଶ୍ୟକ ସମୟରେ କେନ୍ଦ୍ର ସରକାର ଅଧିକାରୀଙ୍କୁ ନିର୍ଦ୍ଦିଷ୍ଟ ସମୟ ପାଇଁ ଡେପୁଟେଶନ୍‌ରେ ଡକାଇ ପଠାଇଥାନ୍ତି। ଏହାପରେ ସେମାନେ ନିଜ ମୂଳ କ୍ୟାଡରକୁ ଫେରି ଯାଇଥାନ୍ତି। ଏକ୍ଷେତ୍ରରେ ରାଜ୍ୟ ସରକାରଙ୍କ ସହମତି ଲୋଡା ଯାଇଥାଏ। କିନ୍ତୁ ରାଜ୍ୟ ସରକାର ଅସହମତି ପ୍ରକାଶ କଲେ କେନ୍ଦ୍ର ସରକାରଙ୍କ ନିଷ୍ପତି ଚୂଡାନ୍ତ ହେବ ବୋଲି କ୍ୟାଡର ରୁଲସ୍‌ରେ ଉଲ୍ଲେଖ କରାଯାଇଛି।

Share