Advertisement

ଲକ୍ଷ୍ମୀ ଯୋଜନାକୁ ବିରୋଧ, ୨୪ ଘଣ୍ଟା ପାଇଁ ଘରୋଇ ବସ୍‌ ଚଳାଚଳ ବନ୍ଦ

କୋରାପୁଟ,୨ା୧୦(ଅମିତାଭ ବେହେରା): ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଅବିଭକ୍ତ କୋରାପୁଟ ଜିଲା ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ସୋମବାର ଡାକରା ଦିଆଯାଇଥିବା ୨୪ ଘଣ୍ଟା ପାଇଁ ଘରୋଇ ବସ୍‌ ଚଳାଚଳ ବନ୍ଦ ପରିପେକ୍ଷୀରେ କୋରାପୁଟ ଜିଲାରେ ସମସ୍ତ ବସ୍‌ ଚଳାଚଳ ବନ୍ଦ ରହିଛି। ଏହି ବନ୍ଦ ପ୍ରଭାବରେ କୋରାପୁଟ ଜିଲାର ୧୪ଟି ବ୍ଲକରେ ଘରୋଇ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ଠପ୍‌ ରହିଥିବାରୁ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି। ଜିଲାରେ ଏହି ବନ୍ଦ ଯୋଗୁ ୨ ଶହରୁ ଊର୍ଦ୍ଧ୍ୱ ଘରୋଇ ବସ୍‌ ୭୫ଟି ରୁଟ୍‌ରେ ଚଳାଚଳ ବନ୍ଦ କରିଛି। କୋରାପୁଟ ଜିଲାରେ ଅଧିକାଂଶ ରାସ୍ତାରେ ଘରୋଇ ବସ୍‌ ଚଳାଚଳ କରୁଛ। ବସ୍‌ ଚଳାଚଳ ବନ୍ଦ ରହିଥିବା ଯୋଗୁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବିଭିନ୍ନ ସ୍ଥାନକୁ ଯିବାକୁ ଥିବା ଯାତ୍ରୀମାନେ କୋରାପୁଟ ବସ୍‌ଷ୍ଟାଣ୍ଡରେ ଅଟକି ରହିଛନ୍ତି। ଲକ୍ଷ୍ମୀ ବସ୍‌ ସେବା ଯୋଜନାରେ ଘରୋଇ ବସ୍‌ଗୁଡିକୁ ସାମିଲ କରିବା ଦାବିରେ ବସ୍‌ ଚଳାଚଳ ବନ୍ଦ କରିଛି ବସ୍‌ ମାଲିକ ସଂଘ। ସରକାର ଲକ୍ଷ୍ମୀ ବସ୍‌ ସେବା ଆରମ୍ଭ କରି ଘରୋଇ ବସ୍‌ ମାଲିକ ସଂଘ ଓ କର୍ମଚାରୀଙ୍କ ଜୀବନ ଜୀବିକାକୁ ବୁଡାଇଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ବସ୍‌ ମାଲିକ ଓ କର୍ମଚାରୀଙ୍କ ସ୍ବାର୍ଥ ପ୍ରତି ଦୃଷ୍ଟି ଦେବାକୁ କୋରାପୁଟ ଘରୋଇ ବସ୍‌ ମାଲିକ ସଂଘ ଦାବି କରିଛି। ବସ୍‌ ଚଳାଚଳ ବନ୍ଦ ରହିଥିବା ବେଳେ ବସ୍‌ଷ୍ଟାଣ୍ଡ ଯାତ୍ରୀ ଶୂନ୍‌ଶାନ୍‌ ହୋଇପଡ଼ିଛି। କିଛି ଅଟୋ ବସଷ୍ଟାଣ୍ଡରେ ରହି ଜୟପୁରକୁ ଯିବାକୁ ପ୍ରତି ଯାତ୍ରୀ ପ୍ରତି ୧୦୦ ଟଙ୍କା ଭଡ଼ା ନେଉଛନ୍ତି। କୋରାପୁଟ ଘରୋଇ ବସ୍‌ ମାଲିକ ସଂଘର ନରେଶ ପାଢ଼ୀ, ଶରତ ଗୌଡ଼ଙ୍କ ନେତୃତ୍ୱରେ ସଂଘର ସମସ୍ତ ମାଲିକ ରବିବାର ବସ୍‌ଷ୍ଟାଣ୍ଡରେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ତୀବ୍ର ବିରୋଧ କରିଥିଲେ। ରାଜଧାନୀରୁ ପ୍ରତ୍ୟେକ ପଞ୍ଚାୟତକୁ ବସ୍‌ ଗଡ଼ିବା ନେଇ ରାଜ୍ୟ ସରକାର ଲକ୍ଷ୍ମୀ ଯୋଜନା ଆରମ୍ଭ କରିଛନ୍ତି। ବର୍ତ୍ତମାନ ବସ୍‌ଗୁଡିକ କୋରାପୁଟ ଜିଲାରେ ପହଞ୍ଚିଥିବା ବେଳେ ଚଳାଚଳ ଆରମ୍ଭ ହୋଇନାହିଁ। ବିନା ଆଲୋଚନାରେ ସରକାରଙ୍କ ଦ୍ୱାରା ଲକ୍ଷ୍ମୀ ଯୋଜନା କାର୍ଯ୍ୟକାରିତା ପ୍ରତିବାଦରେ ଘରୋଇ ବସ୍‌ ମାଲିକ ସଂଘ ଏହାକୁ ବିରୋଧ କରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel