ଭୁବନେଶ୍ୱର,୨।୧୦(ବ୍ୟୁରୋ): ଭୁବନେଶ୍ୱର ବରମୁଣ୍ଡାଠାରେ ଶୁକ୍ରବାର ବିଜେଡି ସାଙ୍ଗଠନିକ ସଭା ଓ ପଦଯାତ୍ରା ପ୍ରସ୍ତୁତି ଶିବିର ଅବସରରେ ମନ୍ତ୍ରୀ ପ୍ରତାପ ଦେବ ଦେଇଥିବା ଭାଷଣକୁ ଭାଜପା କଡ଼ା ବିରୋଧ କରିଛି। ପ୍ରତାପ କହିଥିଲେ, ସାଢ଼େ ୪ କୋଟି ଓଡ଼ିଆଙ୍କର ଗୋଟିଏ ପରିଚୟ ଥିଲା ପ୍ରଭୁ ଜଗନ୍ନାଥ। ଏବେ ଆପଣମାନେ ଭାରତ ବର୍ଷର ଯେ କୌଣସି ଜାଗାକୁ ଯିବେ ଏବଂ ଓଡ଼ିଶାରୁ ବୋଲି ପରିଚୟ ଦେବେ, ସମ୍ମୁଖରେ ଥିବା ବ୍ୟକ୍ତିଙ୍କ ମୁହଁରୁ ପ୍ରଥମେ ନବୀନ ପଟ୍ଟନାୟକଙ୍କ ନାଁ ବାହାରିବ।
ଶିଳ୍ପମନ୍ତ୍ରୀ ପ୍ରତାପଙ୍କ ଏପରି ମନ୍ତବ୍ୟକୁ ଭାଜପା ନେତା ସମ୍ବିତ୍ ପାତ୍ର ନିନ୍ଦା କରିଛନ୍ତି। ଶନିବାର ଏନେଇ ସେ ଟୁଇଟ୍ କରି କହିଛନ୍ତି, ଏହା ଅହଂକାରର ଚରମ ପରିଚୟ। ମନ୍ତ୍ରୀ ସାଢ଼େ ୪ କୋଟି ଓଡ଼ିଆଙ୍କ ସହ ବିଶ୍ୱର କୋଣ ଅନୁକୋଣରେ ରହୁଥିବା ହିନ୍ଦୁଙ୍କ ଭାବନା ପ୍ରତି ହୀନମନ୍ୟତା ସୃଷ୍ଟି କରିଛନ୍ତି। ସେ ଯାହା କହିଛନ୍ତି କ’ଣ ମୁଖ୍ୟମନ୍ତ୍ରୀଙ୍କ ସହମତି ରହିଛି କି ବୋଲି ସମ୍ବିତ୍ ପ୍ରଶ୍ନ କରିଛନ୍ତି। ଯଦି ସହମତ ନାହାନ୍ତି ତା’ହାଲେ ସମ୍ପୃକ୍ତ ମନ୍ତ୍ରୀଙ୍କୁ ତିରସ୍କାର କରନ୍ତୁ।
ଭାଜପା ନେତା ପୃଥ୍ବୀରାଜ ହରିଚନ୍ଦନ ପ୍ରତାପଙ୍କ ଭାଷଣକୁ ନାପସନ୍ଦ କରିବା ସହ କହିଛନ୍ତି, ଏଭଳି ବକ୍ତବ୍ୟ ରଖି ଅହଂକାରର ଶୀର୍ଷରେ ବିଜେଡି ପହଞ୍ଚତ୍ଛି। ଜଗନ୍ନାଥଙ୍କ ବିକଳ୍ପ ଭାବେ ନିଜ ଦଳର ନେତାଙ୍କୁ ଦେଖିବା ଆରମ୍ଭ କରିଛନ୍ତି। ଏହାଠାରୁ କଦର୍ଯ୍ୟ ମାନସିକତା, ଚାଟୁକାରିତା ଆଉ କିଛି ବି ହୋଇ ନ ପାରେ। ଓଡ଼ିଶାବାସୀଙ୍କୁ ଏହାଠାରୁ ବଡ଼ ଅପମାନ ଆଉ କିଛି ହୋଇ ନ ପାରେ ବୋଲି ସେ କହିଛନ୍ତି।
ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଜନତା ମଇଦାନ ସଭାକୁ କାଉଣ୍ଟର ଲାଗି ବରମୁଣ୍ଡାରେ ବିଜେଡି ସମାବେଶ କରିଥିଲା। ଏଥିରେ ଯୋଗଦେଇ ମନ୍ତ୍ରୀ ଦେବ ବିବାଦୀୟ ଭାଷଣ ରଖି ଆଲୋଚନାକୁ ଆସିଛନ୍ତି। ଗୋଟିଏପଟେ ବିଜେଡି ଏଭଳି କାଉଣ୍ଟର ସଭା କରିବା ପଛରେ ଭାଜପା ମୁଖିଆଙ୍କ ଗସ୍ତ ଭୟ ଲୁଚି ରହିଥିବା ନେଇ ଆଲୋଚନା ହେଉଥିବା ବେଳେ ଅନ୍ୟପଟେ ବିବାଦୀୟ ମନ୍ତବ୍ୟ ଏହାକୁ ତେଜିବାରେ ସହାୟକ ହୋଇଛି। ଅନ୍ୟ ପକ୍ଷରେ ମନ୍ତ୍ରୀ ପ୍ରତାପ ଦେବ ଟୁଇଟ କରି କହିଛନ୍ତି ଯେ ବିରୋଧୀ ଅଯଥା ରାଜନୀତି କରୁଛନ୍ତି। ମୋର ଭାଷଣକୁ କଦର୍ଥ କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ଶାସନ ବିଷୟରେ ସୂଚନା ଦେଇଥିଲି।