Categories: ଜାତୀୟ

ମୋଦିଙ୍କୁ ବିରୋଧ ପଡ଼ିଲା ମହଙ୍ଗା,ପଦବୀ ଯିବା ପରେ ଏବେ ସତ୍ୟପାଲଙ୍କୁ ସିବିଆଇର ପଚରାଉଚରା…

ନୂଆଦିଲ୍ଲୀ,୮।୧୦ : ପଦବୀ ଯିବାପରେ ଦିଲ୍ଲୀର ସିବିଆଇ ମୁଖ୍ୟାଳୟରେ ପୂର୍ବତନ ମେଘାଳୟର ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ସିବିଆଇ ପଚରାଉଚରା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବହୁଥର ବିରୋଧ କରିବା ସତ୍ୟପାଲଙ୍କ ପାଇଁ ମହଙ୍ଗା ପଡିଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଇଛି। ସେ ଜମ୍ମୁ-କଶ୍ମୀରର ରାଜ୍ୟପାଳ ଥିବାବେଳେ ଦୁଇଟି ଫାଇଲ ମଞ୍ଜୁରୀ ଦେବା ପାଇଁ ତାଙ୍କୁ ୩୦୦ କୋଟି ଟଙ୍କା ଲାଞ୍ଚ ଯଚା ଯାଇଥିବା ଅଭିଯୋଗ ହୋଇଛି।

ଏହାପୂର୍ବରୁ ପୂର୍ବତନ ରାଜ୍ୟପାଳ ସତ୍ୟ ପାଲ ମଲିକଙ୍କ ଲାଞ୍ଚ ଯଚା ଯାଇଥିବା ଅଭିଯୋଗରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ସତ୍ୟ ପାଲ ମଲିକ ଦାବି କରିଥିଲେ ଯେ ସେ ଜମ୍ମୁ-କଶ୍ମୀରର ରାଜ୍ୟପାଳ ଥିବାବେଳେ ତାଙ୍କୁ ଲାଞ୍ଚ ଯଚା ଯାଇଥିଲା। ଅମ୍ବାନୀ ଏବଂ ଆରଏସଏସ ସହ ଜଡିତ ବ୍ୟକ୍ତିଙ୍କ’ ଦୁଇଟି ଫାଇଲ ମଞ୍ଜୁରୀ କରିବା ବଦଳରେ ଏହି ଅଫର ଦିଆଯାଉଥିଲା, କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ।

ଏହା ସହିତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ସେହି ସମୟରେ ପ୍ରଧାନମନ୍ତ୍ରୀ ତାଙ୍କୁ ଦୁର୍ନୀତି ସହ ସାଲିସ ନକରିବାକୁ କହିଥିଲେ। ସିବିଆଇର ଏହି ଦାବିକୁ ଯାଞ୍ଚ କରିବା ପାଇଁ ଜମ୍ମୁ-କଶ୍ମୀର ପ୍ରଶାସନ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲା। ଯାହାକୁ ବର୍ତ୍ତମାନ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି।

୨୦୨୧ ଅକ୍ଟୋବର ୧୭ ରେ ରାଜସ୍ଥାନର ଝୁଂଝୁନୁରେ ଏକ କାର୍ଯ୍ୟକ୍ରମରେ ସତ୍ୟପାଲ ମଲିକ କହିଥିଲେ, କାଶ୍ମୀର ଯିବା ପରେ ଦୁଇଟି ଫାଇଲ ମୋ ପାଖକୁ ଆସିଥିଲା। ଗୋଟିଏ ଅମ୍ବାନୀଙ୍କ ଫାଇଲ ଏବଂ ଅନ୍ୟଟି ଆରଏସଏସ ସହଯୋଗୀଙ୍କର ଥିଲା ଯିଏକି ପୂର୍ବ ମେହବୁବା ମୁଫତି-ଭାଜପା ମିଳିତ ସରକାରରେ ମନ୍ତ୍ରୀ ଥିଲେ। ସେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଅତି ନିକଟତର ଥିଲେ। ଏହା ଦୁର୍ନୀତି ସହ ଜଡ଼ିତ ବୋଲି ମୋତେ ସଚିବମାନେ ଏକ ଗୁପ୍ତ ସୂଚନା ଦେଇଥିଲେ ଏବଂ ତା’ପରେ ମୁଁ ଉଭୟକୁ ବାତିଲ କରିଦେଲି। ସଚିବମାନେ ମୋତେ କହିଥିଲେ ଯେ ଉଭୟ ଫାଇଲ ପାଇଁ ୧୫୦କୋଟି ଲେଖାଏଁ ଟଙ୍କା ଦିଆଯିବ। କିନ୍ତୁ, ମୁଁ ସେମାନଙ୍କୁ କହିଥିଲି ଯେ ମୁଁ ପାଞ୍ଚଟି କୁର୍ତ୍ତା-ପାଇଜାମା ସହିତ ଆସିଛି ଏବଂ କେବଳ ତାହା ସହିତ ଏଠାରୁ ଯିବି।

ସୂଚନାଯୋଗ୍ୟ, ସତ୍ୟପାଲ ମଲିକ କେନ୍ଦ୍ର ସରକାର ଏବଂ ଭାଜପା ବିରୋଧରେ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ ଯଦି ସେ କେନ୍ଦ୍ର ସରକାରଙ୍କ ବିରୋଧରେ କହିବା ବନ୍ଦ କରନ୍ତି ତେବେ ତାଙ୍କୁ ଉପରାଷ୍ଟ୍ରପତି କରାଯିବ ବୋଲି ସୂଚନା ଦିଆଯାଇଛି। ଏହାପୂର୍ବରୁ ସେ ଅଗ୍ନିପଥ ଯୋଜନାକୁ ପୁନର୍ବିଚାର କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ ଏବଂ କହିଥିଲେ ଯେ ଯଦି ତିନି ବର୍ଷ ମଧ୍ୟରେ ଯୁବକ ଅବସର ନେବେ, ତେବେ ସେମାନେ ବିବାହ ମଧ୍ୟ କରିବେ ନାହିଁ। ଏହାପୂର୍ବରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅହଂକାରୀ ବୋଲି ମଧ୍ୟ ଅଭିଯୋଗ କରିଥିଲେ।

Share