ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଦାରିଙ୍ଗବାଡ଼ି ଗସ୍ତକୁ ବିରୋଧ ଭୟ, କଂଗ୍ରେସ-ଭାଜପା କର୍ମୀଙ୍କୁ ନଜରବନ୍ଦୀ ରଖିଛି ପୋଲିସ

ଦାରିଙ୍ଗବାଡ଼ି,୨୯ା୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ ଦୁଇଦିନିଆ ଗସ୍ତରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ଆସିଛନ୍ତି ା ମନ୍ତ୍ରୀ ଜେନା ଶୁକ୍ରବାର ପୂର୍ବାହ୍ନରେ ଉକ୍ତ ବ୍ଲକ ବ୍ରାହ୍ମଣୀଗାଁରେ କାର୍ଯ୍ୟକ୍ରମ ଚାଲିଥିବାବେଳେ ମଧ୍ୟାହ୍ନ ପରଠାରୁ ଦାରିଙ୍ଗବାଡ଼ିରେ ସରକାରୀ କାର୍ଯ୍ୟକ୍ରମ ରହିଛି ା ଅପରାହ୍ନ ୩ଟା ବେଳେ ବିଜେଡି ଦଳୀୟ ସାଂଗଠନିକ କାର୍ଯ୍ୟକ୍ରମ ରହିଛି ା ଏହାକୁ ବିରୋଧୀଙ୍କ ବିରୋଧର ଭୟକୁ ଆଶଙ୍କା କରି ସ୍ଥାନୀୟ ପୋଲିସ କଂଗ୍ରେସ ଏବଂ ଭାଜପାର ପ୍ରାୟ ୨୦ଜଣ କର୍ମୀଙ୍କୁ ଭୋର୍‌ ସମୟରୁ ଘରୁ ଉଠାଇନେଇ ଅଜଣା ସ୍ଥାନରେ ନଜରବନ୍ଦୀ କରି ରଖିଥିବା ବିରୋଧୀ କହିଛନ୍ତି ା ଏହା ଦୁର୍ଭାଗ୍ୟଜନକ କଥା ବୋଲି କଂଗ୍ରେସର କାଳୀପ୍ରସାଦ ମଲ୍ଲିକ କହିଛନ୍ତି। ଅଟକ ରହିଥିବା କଂଗ୍ରେସର କାଳୀପ୍ରସାଦ ମଲ୍ଲିକଙ୍କ ସମେତ ବିଳାସିନୀ ନାୟକ, ସିମଲାରାଣୀ ପରିଡ଼ା, ଭାଜପାର ମହେଶ୍ୱର ସାହୁ, ମିଟୁ ସାହୁ ପ୍ରମୁଖ ପ୍ରଶାସନକୁ ତୀବ୍ର ନିନ୍ଦା କରିଛନ୍ତି। ନଜରବନ୍ଦୀରେ ରହିଥିବା କଂଗ୍ରେସ କର୍ମୀ ଏବଂ ଭାଜପା କର୍ମୀମାନେ ସେହି ଅଜଣା ସ୍ଥାନରୁ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି କଳାପତାକା ଦେଖାଇବା ଏବଂ ମନ୍ତ୍ରୀଙ୍କ ବିରୋଧରେ ସ୍ଲୋଗାନ ଦେଉଥିତ୍ବା ଭିଡିଓ ଏବେ ମୋବାଇଲରେ ଘୂରି ବୁଲୁଛି ା

Share