ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ପୋଲିସର ଅତ୍ୟାଚାରକୁ ବିରୋଧ, କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ମାଲକାନଗିରି,୨୫ା୭(ଡି.ଏନ୍‌.ଏ.): ଗଣମାଧ୍ୟମକୁ ସମ୍ବିଧାନରେ ଚତୁର୍ଥ ସ୍ତମ୍ଭ ବୋଲି ବିବେଚନା କରାଯାଇଥିବା ବେଳେ ଏହି ଗଣମାଧ୍ୟମ ପ୍ରତିନିଧିମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସଫଳତା ଓ ବିଫଳତା, ଲୋକଙ୍କ ସମସ୍ୟା ସମ୍ବନ୍ଧରେ ରାତିଦିନ କଷ୍ଟ କରି କୋଟି କୋଟି ଲୋକଙ୍କୁ ଦେଶ ବିଦେଶରେ ବିଭିନ୍ନ ସୂଚନା ଦେଇଥାନ୍ତି। ଏଥିସହ ଅନେକ ଘଟଣାର ସମାଧାନ ମଧ୍ୟ ହୋଇ ପାରୁଛି ା ଯେଉଁଠି କିଛି ଘଟଣା ସରକାର କିମ୍ବା ପ୍ରଶାସନ ଜାଣି ପାରୁନାହାନ୍ତ ସେଠି ଗଣମାଧ୍ୟମ ପ୍ରତିନିଧି ପହଞ୍ଚି ଘଟଣା ସମ୍ବନ୍ଧରେ ସରକାର ଏବଂ ଜିଲା ପ୍ରଶାସନକୁ ଅବଗତ କରି ଅନେକ ବଡ଼ବଡ଼ ଘଟଣାର ସମାଧାନ ଏବଂ ସଂଶୋଧନ କରି ପାରୁଛି। ଚତୁର୍ଥସ୍ତମ୍ଭ ଗଣତନ୍ତ୍ରର ରକ୍ଷାକବଚ। କିନ୍ତୁ କେତେକ ବିଶୃଙ୍ଖୁଳିତ ପୋଲିସ ଅଧିକାରୀ ରାଜ୍ୟରେ ଅନେକ ସ୍ଥାନରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ କରି ଆସୁଥିବା ନଜିର ରହିଛି।

ମାଲକାନଗିରି ଜିଲାରେ ୧୫୦ରୁ ଊର୍ଦ୍ଧ୍ୱ ଗଣମାଧ୍ୟମ ପ୍ରତିନିଧି ନିକଟରେ କେନ୍ଦ୍ରାପଡ଼ାଠାରେ ଜଣେ ମହିଳା ପୋଲିସ ସର୍ବସାଧାରଣରେ ଜଣେ ସାମ୍ବାଦିକଙ୍କୁ ମାଡ଼ ମାରିବା ଘଟଣାକୁ ନିନ୍ଦା କରିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ସେହିପରି ପୁରୀ ଜିଲା ଗୋପ୍‌ ଥାନା ଅଧିକାରୀ ଜଣେ ସାମ୍ବାଦିକଙ୍କୁ ଗୁଳିକରି ମାରିଦେବା ଧମକ,ଫୁଲବାଣୀରେ ଜଣେ ମହିଳା ଆର.ଆଇ ସମ୍ବାଦିକଙ୍କୁ ଦୁର୍ବ୍ୟବହାର କରି ମୋବାଇଲ୍‌ ଛଡ଼ାଇ ନେବା ଘଟଣା ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ପଦକ୍ଷେପ ନେବା ପାଇଁ ରବିବାର ମାଲକାନଗିରି ଭାରପ୍ରାପ୍ତ ଜିଲାପାଳ ବୀରସେନ୍‌ ପ୍ରଧାନଙ୍କ ଜରିଆରେ ଏକ ଦାବିପତ୍ର ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦାବିପତ୍ର ଦେବା ସମୟରେ ଦେବ ପ୍ରସାଦ ଦାସ, ରତ୍ନାକର ଦାସ, ଦୁର୍ଯ୍ୟୋଧନ ପାତ୍ର, ମିଲୁ ପଟ୍ଟନାୟକ, ସତ୍ୟନାରାୟଣ ଦାସ, ମନୋଜ କୁମାର ମହାନ୍ତି, ଶ୍ରୀନିବାସ ପାତ୍ର, ଅଶୋକ ମିଶ୍ର, ପଞ୍ଚାନନ ଦାସ, ତ୍ରିଲୋଚନ ଦାସ, ସୀମାଞ୍ଚଳ ପାଣିଗ୍ରାହୀ, ଅଶିମ୍‌ ବିଶ୍ୱାସ, ଅପୂର୍ବ ଥଣ୍ଡର, ଚନ୍ଦ୍ରକାନ୍ତ ପଣ୍ଡାଙ୍କ ସହ ୫୦ରୁ ଊର୍ଦ୍ଧ୍ୱ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

Share