ଘରୋଇ ନମ୍ବରଯୁକ୍ତ ବାଇକ୍‌ର ପରିବହନ ସେବାକୁ ବିରୋଧ

ଭୁବନେଶ୍ୱର,୨୮।୯(ଅନୁରାଧା ମହାରଣା)ଅନ୍‌ଲାଇନ୍‌ ପରିବହନ ସେବା ପ୍ରଦାନ କରୁଥିବା ଓଲା, ରାପିଡୋ, ଉବର ପକ୍ଷରୁ ବହୁ ବାଇକ୍‌ ରାଜ୍ୟରେ ବେଆଇନ ଭାବେ ଚଳାଚଳ କରୁଛି। ବ୍ୟକ୍ତିଗତ କାମ ଉଦ୍ଦେଶ୍ୟରେ ଲୋକମାନେ ବାଇକ୍‌ କିଣି ତାହାକୁ ଏସବୁ କମ୍ପାନୀ ଅଧୀନରେ ଅନ୍‌ଲାଇନ୍‌ ପରିବହନ ସେବାରେ ଲଗାଉଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବ୍ୟବସାୟିକ ଅନୁମତି ନ ନିଆଯାଇ ଏଭଳି ଆଇନ ଉଲ୍ଲଂଘନ କରୁଥିବା ଘରୋଇ ନମ୍ବରଯୁକ୍ତ ବାଇକ୍‌ ଚାଳକ ଓ ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଭୁବନେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ-୧) ପକ୍ଷରୁ ମଙ୍ଗଳବାର ଶହୀଦନଗର ଥାନାରେ ଏ ସଂକ୍ରାନ୍ତରେ ଏତଲା ଦିଆଯାଇଛି। ଏତଲା ଅନୁଯାୟୀ, ଗତ ଏପ୍ରିଲ ୨୦ରେ ପରିବହନ ପାଇଁ ‘ଏମ୍‌ଭି ଆକ୍ଟ, ୧୯୮୮’ ଅଧୀନରେ ‘ଦି ଓଡିଶା ଅନ୍‌-ଡିମାଣ୍ଡ ଟ୍ରାନ୍ସପୋର୍ଟେଶନ ଟେକ୍ନୋଲୋଜି ଆଗ୍ରିଗେଟର୍ସ ଗାଇଡ୍‌ଲାଇନ୍‌ସ – ୨୦୨୩’ ସର୍ତ୍ତାବଳୀ ଅଣାଯାଇଥିଲେ ମଧ୍ୟ ଅନ୍‌ଲାଇନ୍‌ ସଂସ୍ଥାଗୁଡ଼ିକ ଏହାକୁ ମାନୁନାହାନ୍ତି। ବିନା ଏଗ୍ରିଗେଟର୍‌ ଲାଇସେନ୍ସରେ ବାଇକ୍‌ଗୁଡ଼ିକ ଚଳାଚଳ କରୁଛି। ଏଥିପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ସହ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି। ଏପରିକି ଏହି ସର୍ତ୍ତାବଳୀ ମାନିବାକୁ ପରିବହନ କମିଶନରଙ୍କ ପକ୍ଷରୁ ଉକ୍ତ ସଂସ୍ଥାଗୁଡ଼ିକୁ ବାରମ୍ବାର ତାଗିଦ୍‌ କରାଯାଇଛି। ହେଲେ ସଂସ୍ଥା ପକ୍ଷରୁ ଏହି ନିର୍ଦ୍ଦେଶାବଳୀକୁ ପାଳନ କରା ନ ଯାଇ ବେଆଇନ ଭାବେ ଯାତ୍ରୀ ପରିବହନ ଜାରି ରହିଛି। ତେଣୁ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉକ୍ତ ଏତଲାରେ ଦର୍ଶାଯାଇଛି।
ଅପରପକ୍ଷରେ ଏଭଳି ବେଆଇନ ଭାବେ ପରିବହନ କରୁଥିବା କରୁଥିବା ବାଇକ୍‌କୁ ନେଇ ସ୍ମାର୍ଟ ସିଟି ଅନଲାଇନ୍‌ ଅଟୋ ସଂଘ ପକ୍ଷରୁ ବିରୋଧ କରାଯାଇଛି। ବୁଧବାର ସକାଳେ ପ୍ରାୟ ୨ ଘଣ୍ଟା ଯାଏ ସଂଘ ପକ୍ଷରୁ ଶତାଧିକ ଅଟୋ ଚାଳକ ମାଷ୍ଟରକ୍ୟାଣ୍ଟିନ୍‌ରେ ଏକତ୍ରିତ ହୋଇ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ। ବାଇକ୍‌ଗୁଡ଼ିକୁ କମର୍ସିଆଲ୍‌ କରାଯାଇ ବ୍ୟବସାୟରେ ଲଗାଯାଉ ବୋଲି ସେମାନେ ଦାବି କରିଛନ୍ତି। ଏନେଇ ସଂଘ ସଭାପତି ଦିନବନ୍ଧୁ ନାୟକଙ୍କ କହିବା କଥା, ଅନ୍‌ଲାଇନ୍‌ ବ୍ୟବସାୟରେ ଲାଗୁଥିବା ବାଇକ୍‌କୁ ସଂଘ ପକ୍ଷରୁ ବିରୋଧ କରାଯାଉନାହିଁ। ଉକ୍ତ ବାଇକକୁ ବ୍ୟବସାୟିକ ପଞ୍ଜୀକରଣ କରାଯାଇ ଚଳାଚଳ କରାଯାଉ। ବାଇକ୍‌ଗୁଡ଼ିକର କମର୍ସିଆଲ ଲାଇସେନ୍ସ ନେବା ପାଇଁ ଆର୍‌ଟିଓରେ ସ୍ବତନ୍ତ୍ର କାଉଣ୍ଟର୍‌ ଖୋଲାଯାଇଛି। କେବଳ ୨୬୦୦ ଟଙ୍କା ଦେଇ ଲାଇସେନ୍ସ କରିହେବ। ଏହି ଲାଇସେନ୍ସ ନେଇ ବାଇକ୍‌ଗୁଡ଼ିକ ଯାତ୍ରୀଙ୍କୁ ସେବା ପ୍ରଦାନ କରୁ ବୋଲି ଦୀନବନ୍ଧୁ କହିଛନ୍ତି।

Share