ବିଦ୍ୟୁତ୍‌ ଦର ବୃଦ୍ଧିକୁ ବିରୋଧ

ଭୁବନେଶ୍ୱର,୫।୪(ବ୍ୟୁରୋ): ବିଦ୍ୟୁତ୍‌ ଦର ବୃଦ୍ଧି ପ୍ରତିବାଦରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ରବିବାର ସନ୍ଧ୍ୟାରେ ୩୦ ମିନିଟ୍‌ ବିଜୁଳି କାଟ କରାଯାଇଛି। ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ଉପଭୋକ୍ତାମାନେ ୩୦ ମିନିଟ୍‌ ପର୍ଯ୍ୟନ୍ତ ବିଜୁଳି ବନ୍ଦ କରି ନୀରବ ପ୍ରତିବାଦ କରିଛନ୍ତି। ଏଥିସହ କଂଗ୍ରେସର ଏହି ଆହ୍ବାନକୁ ସମର୍ଥନ ଜଣାଇ ରାଜ୍ୟ ସରକାରଙ୍କ ବିରୋଧରେ ସେମାନଙ୍କ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେହିପରି କଂଗ୍ରେସ ଭବନ ସମେତ ପିସିସି ସଭାପତି ଏବଂ କଂଗ୍ରେସ ନେତୃବୃନ୍ଦ ଓ କର୍ମୀଙ୍କ ବାସଭବନରେ ସନ୍ଧ୍ୟା ୬.୩୦ରୁ ୭ଟା ଯାଏ ବିଦ୍ୟୁତ୍‌ ସରବରାହ ବନ୍ଦ ରଖାଯାଇଥିଲା। ସାଧାରଣ ଜନତା ଓ କଂଗ୍ରେସ କର୍ମୀ ଏହି ବନ୍ଦ ପ୍ରତିବାଦକୁ ବହୁଳ ମାତ୍ରାରେ ସମର୍ଥନ ଜଣାଇଥିବାରୁ ପିସିସି ସଭାପତି ସେମାନଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହାସହ ସୋମବାର ସବୁ ଜିଲା ସଦର ମହକୁମା ଓ ବ୍ଲକରେ ଥିବା ବିଦ୍ୟୁତ୍‌ କାର୍ଯ୍ୟାଳୟ ସମ୍ମୁଖ ଏବଂ ୬ ତାରିଖରେ ଭୁବନେଶ୍ୱରସ୍ଥିତ ଓଇଆର୍‌ସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ସମାବେଶ କରାଯିବ। ଏହି ବିକ୍ଷୋଭକୁ ସଫଳ କରିବା ପାଇଁ ନିରଞ୍ଜନ ରାଜ୍ୟର ସମସ୍ତ ବିଦ୍ୟୁତ୍‌ ଉପଭୋକ୍ତା ଏବଂ କଂଗ୍ରେସ କର୍ମୀଙ୍କ ସାହାଯ୍ୟ ଓ ସହଯୋଗ କାମନା କରିଛନ୍ତି।

 

Share