ରଘୁନାଥପୁର,୩୧ା୧(ଡି.ଏନ୍.ଏ.): ନିର୍ବାଚନ ଆଚରଣବିଧି ଲାଗୁ ସତ୍ତ୍ୱେ ରଘୁନାଥପୁର ବ୍ଲକ ଚିକିଣିଆ ପଞ୍ଚାୟତରେ ରାସ୍ତା କାର୍ଯ୍ୟ ଚାଲିଛି। ଶନିବାର ବିନା ସୂଚନା ଫଳକରେ ଚିକିଣିଆ ୯ ନଂ. କେନାଲ ବନ୍ଧ ତେଲିସାହି ରାସ୍ତାକୁ ଜେସିବି ଦ୍ୱାରା ଖୋଳାଯାଇଛି। ଦୀର୍ଘବର୍ଷ ଧରି ପଡି ରହିଥିବା ରାସ୍ତାର ନିର୍ମାଣ କାର୍ଯ୍ୟ ହଠାତ୍ କାହିଁକି ଆରମ୍ଭ ହୋଇଛି ସେନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି। ରାସ୍ତାଟି ଖୋଳା ହେବା ଦ୍ୱାରା ଗ୍ରାମବାସୀ ଯାତାୟାତ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅପରପକ୍ଷେ ରାସ୍ତା କାର୍ଯ୍ୟ ଆରମ୍ଭ ସମ୍ପର୍କରେ ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅମିୟଚାନ୍ଦ ମଲ୍ଲିକ କିଛି ଜାଣିନାହାନ୍ତି ବୋଲି କହିଛନ୍ତି। ସେହିପରି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ଦାସଙ୍କ ନାମରେ କାର୍ଯ୍ୟାଦେଶ ଥିଲେ ସୁଦ୍ଧା ସେ ମଧ୍ୟ କାର୍ଯ୍ୟ ଆରମ୍ଭ ସମ୍ପର୍କରେ ଅବଗତ ନାହାନ୍ତି ବୋଲି କହିଛନ୍ତି। ତେବେ ୩ ମାସ ତଳୁ ବ୍ଲକ ଓ ପଞ୍ଚାୟତ ଫଣ୍ଡରେ କାର୍ଯ୍ୟାଦେଶ ଦିଆହୋଇଛି ବୋଲି ଯନ୍ତ୍ରୀ ଜ୍ୟୋତ୍ସ୍ନାମୟୀ ଦେବତା କହିଛନ୍ତି। ସେତେବେଳେ ଏହି କାର୍ଯ୍ୟ କରା ନ ଯାଇ ନିର୍ବାଚନ ସମୟରେ ରାସ୍ତା କାର୍ଯ୍ୟକୁ ଲୋକେ ବିରୋଧ କରିଛନ୍ତି। ନିର୍ବାଚନ କମିଶନ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହୋଇଛି।