ସ୍କୁଲ ବସ୍ତାନି ନିୟମ ଉଲ୍ଲଂଘନକୁ ବିରୋଧ

ଭୁବନେଶ୍ୱର, ୨୦।୧(ବ୍ୟୁରୋ): ନିର୍ଦ୍ଧାରିତ ପାଠ୍ୟକ୍ରମ ଓ ସ୍କୁଲ ବସ୍ତାନି ନିୟମ ଉଲ୍ଲଂଘନ ବିରୋଧରେ ଓଡ଼ିଶା ଅଭିଭାବକ ମହାସଂଘ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନ୍‌ସିପିସିଆର୍‌)ରେ ଫେରାଦ ହୋଇଛି। ମହାସଂଘର କହିବାନୁଯାୟୀ, ଶିକ୍ଷା ଅଧିକାର ଆଇନ ଧାରା ୨୯ ଅନୁଯାୟୀ ଗଣଶିକ୍ଷା ବିଭାଗର ସମସ୍ତ ଶିକ୍ଷାନୁଷ୍ଠାନ ଏନ୍‌ସିଇଆର୍‌ଟି ଦ୍ୱାରା ନିର୍ଦ୍ଧାରିତ ପାଠ୍ୟକ୍ରମ ଅନୁସାରେ ପାଠ ପଢ଼ିବା ସହିତ ଶ୍ରେଣୀ ଅନୁସାରେ ଅନୁମୋଦିତ ପୁସ୍ତକ ମଧ୍ୟ ବ୍ୟବହାର କରିବେ। ପୁସ୍ତକଗୁଡ଼ିକର ସମସ୍ତ ବିବରଣୀ ସ୍କୁଲ ନୋଟିସ ବୋର୍ଡ, ପିଲାଙ୍କ ଡାଏରୀ ଓ ଅଭିଭାବକଙ୍କୁ ମେସେଜ, ହ୍ବାଟ୍ସଆପ୍‌ ମାଧ୍ୟମରେ ତଥା ସ୍କୁଲ୍‌ ୱେବ୍‌ସାଇଟ୍‌ରେ ଉପଲବ୍ଧ କରାଇବେ। ଯେଉଁ ଶିକ୍ଷାନୁଷ୍ଠାନ ନ ମାନିବେ ତାଙ୍କର ମାନ୍ୟତା ମଧ୍ୟ ପ୍ରତ୍ୟାହାର କରାଯିବାର ଆଇନରେ ପ୍ରାବଧାନ ରହିଛି। ଏନ୍‌ସିପିସିଆର ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ବହୁବାର ରାଜ୍ୟ ସରକାରଙ୍କୁ ଦେଇଥିବାବେଳେ ଗଣଶିକ୍ଷା ବିଭାଗ ସଚିବ ମଧ୍ୟ ଅନୁରୂପ ଭାବେ ସମସ୍ତ ଡିଇଓଙ୍କୁ ଏହାର କାର୍ଯ୍ୟକାରିତା ସମ୍ପର୍କରେ ଅବଗତ କରାଇଛନ୍ତି। କିନ୍ତୁ ଘରୋଇ ସ୍କୁଲଗୁଡ଼ିକ ଏହି ନିର୍ଦ୍ଦେଶକୁ ନ ମାନି ଘରୋଇ ପ୍ରକାଶନର ବହି ବିକ୍ରି କରି ଅଭିଭାବକଙ୍କଠାରୁ ହଜାର ହଜାର ଟଙ୍କା ଲୁଟୁଛନ୍ତି। ଏଥିସହ କୋମଳମତି ପିଲାଙ୍କୁ ଅଧିକ ଓଜନର ବସ୍ତାନି ବୋଝ ବୁହାଇ ସେମାନଙ୍କର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ବିଗାଡ଼ିବାରେ ଲାଗିଛନ୍ତି। ସେପଟେ ଉଚ୍ଚ ନ୍ୟାୟାଳୟ ମଧ୍ୟ ସ୍ଥିରୀକୃତ ଓଜନ ଅନୁଯାୟୀ ବସ୍ତାନି ସ୍କୁଲ ଆଣିବାକୁ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ମାନବିକ ଅଧିକାର କମିଶନ ମଧ୍ୟ ଏହି ମର୍ମରେ ଗଣଶିକ୍ଷା ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ସ୍କୁଲ ଏସବୁ ନିର୍ଦ୍ଦେଶ ନ ମାନିବେ ଶିକ୍ଷା ଆଇନ ଅନୁଯାୟୀ ସେମାନଙ୍କ ସିଓଆର ମଧ୍ୟ ସରକାର ରଦ୍ଦ କରିଦେଇପାରିବେ। ଏହିସବୁ ନିୟମକୁ ଠିକ କାର୍ଯ୍ୟକାରୀ କରିବା ପାଇଁ ବହୁଦିନ ଧରି ଓଡ଼ିଶା ଅଭିଭାବକ ମହାସଂଘ ଦାବି କରି ଧାରଣା, ଧର୍ମଘଟ, ଅନଶନ, ଆମରଣ ଅନଶନ ଆଦି କରି ଆସିଛି।

Share