ବରଗଡ଼ ଅଫିସ,୨୫ା୯: କୃଷି ବିଲ୍କୁ ନେଇ ସାରାଦେଶରେ ବିରୋଧର ସ୍ବର ତେଜି ଉଠିଛି। ବରଗଡ଼ ଜିଲାରେ ମଧ୍ୟ ବିରୋଧର ତାତି ବଢ଼ି ଚାଲିଛି। ଶୁକ୍ରବାର ଜିଲାର ଚାଷୀ ପ୍ରତିନିଧିମାନେ ସଂଗଠିତ ହୋଇ ବରଗଡ଼ ଗାନ୍ଧୀଛକରେ ରାସ୍ତାକୁ ଓହ୍ଲାଇଛନ୍ତି। କୃଷି ବିଲ୍ ଦ୍ବାରା ଚାଷୀଙ୍କ ସ୍ବାର୍ଥ ସୁରକ୍ଷିତ ନୁହେଁ। ଏହାଦ୍ବାରା ସମଗ୍ର କୃଷିକ୍ଷେତ୍ର କମ୍ପାନୀ ହାତକୁ ଚାଲିଯିବ ଏବଂ ଚାଷୀମାନେ ପୂର୍ବାପେକ୍ଷା ଅଧିକ ଶୋଷିତ ହେବେ ବୋଲି ଚାଷୀ ପ୍ରତିନିଧିମାନେ କହିଛନ୍ତି। ଚାଷୀଙ୍କ ପ୍ରତି ସରକାରଙ୍କ ଏଭଳି ବୈମାତୃକ ମନୋଭାବ ପ୍ରତିବାଦରେ ଆଗକୁ ଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି। ପଶ୍ଚିମ ଓ କୃଷକ ସଂଗଠନ ସମନୱୟ ସମିତିର ଆବାହକ ଲିଙ୍ଗରାଜ, ଜୟ କିଶାନ ଆନ୍ଦୋଳନର ସୁଶୀଲ ସାହୁ, ରମେଶ ମହାପାତ୍ର, ହର ବଣିଆ, ବିରଞ୍ଚି ମହାକୁଡ଼ ପ୍ରମୁଖଙ୍କ ସମେତ ବହୁସଂଖ୍ୟକ ଚାଷୀ ଆନ୍ଦୋଳନରେ ସାମିଲ ଅଛନ୍ତି।