Categories: ମେଟ୍ରୋ

ଶ୍ରୀଅନନ୍ତ ବାସୁଦେବ ମନ୍ଦିର ରୋଷଘର ନିର୍ମାଣକୁ ବିରୋଧ

ପୁରୁଣା ଭୁବନେଶ୍ୱର,୨୩ା୬(ସୁବାସ ଚନ୍ଦ୍ର ପ୍ରଧାନ): ବିନ୍ଦୁସାଗର କୂଳରେ ରହିଛି ଶ୍ରୀଅନନ୍ତ ବାସୁଦେବ ମନ୍ଦିର। ରାଜ୍ୟ ସରକାର ଏକାମ୍ର ମେଗା ପ୍ରକଳ୍ପରେ ଏହି ମନ୍ଦିର ଏବଂ ଏହାର ଚତୁଃପାର୍ଶ୍ୱକୁ ସାମିଲ କରିଛନ୍ତି। ମନ୍ଦିର ପରିସରରେ ରୋଷଘର ନିର୍ମାଣ ନେଇ ଓଡ଼ିଶା ସେତୁ ନିର୍ମାଣ ନିଗମ (ଓବିସିସି) ପକ୍ଷରୁ ଟେଣ୍ଡର କରାଯାଇଛି। ତେବେ ରୋଷଘର ନିର୍ମାଣ ଟେଣ୍ଡରକୁ ନେଇ ପୂଜାପଣ୍ଡା ନିଯୋଗ ପକ୍ଷରୁ ବିରୋଧ କରାଯାଇଛି।
ଅନନ୍ତ ବାସୁଦେବ ମନ୍ଦିରରେ ଅନ୍ନଭୋଗ କିମ୍ବା ସଙ୍କୁଡ଼ି ଭୋଗ ହେଉ ନ ଥିବା ବେଳେ ଏଠାରେ କେବଳ ଶୁଖୁଲି ଭୋଗର ବ୍ୟବସ୍ଥା ରହିଛି, ଯାହାକୁ ଅତୀତରେ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ଯୋଗାଇ ଆସୁଥିଲା। ଲିଙ୍ଗରାଜ ମନ୍ଦିରରେ ଭୋଗ ମଣ୍ଡପ ସରିବା ପରେ ଏଠାରେ ବଲ୍ଲଭ ଭୋଗ ପାଇଁ ଖଇ ଭୋଗ କରାଯାଇଥାଏ। ଲିଙ୍ଗରାଜ ମନ୍ଦିରରେ ବଡ଼ସିଂହାର ସରିବା ପରେ ଏଠାରେ ମନ୍ଦିର ପକ୍ଷରୁ ଯୋଗାଇ ଦିଆଯାଇଥିବା ସାମଗ୍ରୀରେ ତିଆରି ଲଡୁ ଭୋଗ ସମର୍ପଣ କରାଯାଇଥାଏ। ଅନନ୍ତ ବାସୁଦେବ ମନ୍ଦିର ପାଚେରିର ଉତ୍ତର ପାର୍ଶ୍ୱରେ ବିଏମ୍‌ସି ପକ୍ଷରୁ ୪୦ରୁ ଊର୍ଦ୍ଧ୍ୱ ରୋଷଘର ନିର୍ମାଣ କାର୍ଯ୍ୟ ଅର୍ଦ୍ଧାଧିକ ସରିଯାଇଥିଲା। ଶ୍ରୀଲିଙ୍ଗରାଜ ଟ୍ରଷ୍ଟ ବୋର୍ଡର ବିରୋଧ ପରେ ଏହାକୁ ବନ୍ଦ କରାଯିବା ସହ ବିଏମ୍‌ସି ଏଥିରୁ ଓହରି ଯାଇଥିଲା। ଅର୍ଦ୍ଧନିର୍ମିତ ରୋଷଘର ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି। ସମ୍ପ୍ରତି ରାଜ୍ୟ ସରକାରଙ୍କ ମେଗା ପ୍ରକଳ୍ପରେ ସେତୁ ନିର୍ମାଣ ବିଭାଗ ପକ୍ଷରୁ ଏଠାରେ ରୋଷଘର ନିର୍ମାଣ ପାଇଁ ସବୁଜ ସଂକେତ ଦିଆଯାଇଛି, ଯାହାକୁ ପୂଜାପଣ୍ଡା ନିଯୋଗ ପକ୍ଷରୁ ବିରୋଧ କରାଯାଇଛି। ଏନେଇ ସହକାରୀ ଦେବୋତ୍ତର କମିଶନରଙ୍କ ନିକଟରେ ମାମଲା ୪/୨୦୧୩ ବଳବତ୍ତର ରହିଛି। ଏହା ସତ୍ତ୍ୱେ କିପରିି ବିଭାଗ ଏଠାରେ ରୋଷଘର ନିର୍ମାଣ କରିବାକୁ ଯାଉଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Share