ବିଧାୟକଙ୍କ ପ୍ରଚାରକୁ ବିରୋଧ: ମହିପୁର ପଞ୍ଚାୟତରେ ନିର୍ବାଚନୀ ହିଂସା, ୫ ଆହତ

ନୂଆଗାଁ,୧୪।୨(ଡି.ଏନ.ଏ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ପଞ୍ଚାୟତରେ ରବିବାର ଅପରାହ୍ନରେ ଦଶପଲ୍ଲା ବିଧାୟକ ରମେଶ ବେହେରାଙ୍କ ପ୍ରଚାରକୁ କର୍ମୀମାନେ ବିରୋଧ କରିଛନ୍ତି। ବିରୋଧକୁ ନେଇ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ କନ୍ଦଳରୁ ସଂଘର୍ଷର ସୂତ୍ରପାତ ଘଟି ୫ ଜଣ ଆହତ ହୋଇଛନ୍ତି। ସଂଘର୍ଷ ସମୟରେ ନୀଳାଦ୍ରିପୁରର ସୁରେନ୍ଦ୍ରନାଥ ଶତପଥୀଙ୍କ କାର, ବାଇକ୍‌, ଘରକୁ ଭଙ୍ଗାରୁଜା କରାଯାଇଛି। ଘଟଣାସ୍ଥଳରେ ପୋଲିସ ମୁତୟନ ରହିଛି। ଦଶପଲ୍ଲା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନୂଆଗାଁ ବ୍ଲକର ୧୭ନଂ. ଜୋନ୍‌ ଜିଲା ପରିଷଦ ପ୍ରାର୍ଥୀ ପ୍ରତିମା ଦଳବେହେରାଙ୍କ ପାଇଁ ମହିପୁରଠାରେ ବିଧାୟକ ବେହେରା ପହଞ୍ଚତ୍ ଅପରାହ୍ନରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଥିଲେ। ଏଥିରେ ଦୁଇଗୋଷ୍ଠୀର ସମର୍ଥକ ସାମିଲ ଥିଲେ। ବିଧାୟକ ବେହେରାଙ୍କ ସହ ଯାଉଥିବା ଜିଲା ପରିଷଦ ପ୍ରାର୍ଥୀ ଦଳବେହେରାଙ୍କ ପ୍ରଚାର ଗାଡ଼ିରେ ମହିପୁର ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ପ୍ରାର୍ଥୀଙ୍କ ବ୍ୟାନର ଓ ପୋଷ୍ଟର ଲଗାଯାଇଥିଲା, ଯାହାକୁ ଅନ୍ୟ ଗୋଷ୍ଠୀ ବିରୋଧ କରିଥିଲେ। ସେମାନଙ୍କ କହିବା ମୁତାବକ, ବିଧାୟକ ବେହେରା ପୂର୍ବରୁ କାହାରିକୁ ସରପଞ୍ଚ, ସମିତିସଭ୍ୟ ପ୍ରାର୍ଥୀ ଭାବେ ଘୋଷଣା କରି ନ ଥିଲେ। ଅନ୍ୟପକ୍ଷେ ନିର୍ବାଚନ ଆଇନ ଅନୁସାରେ, ସରପଞ୍ଚ, ସମିତିସଭ୍ୟ ପ୍ରାର୍ଥୀ କୌଣସି ରାଜନୈତିକ ଦଳରେ ସାମିଲ ନୁହନ୍ତି। ତେଣୁ ବିଧାୟକ କାହିଁକି ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀଙ୍କୁ ଆଣି ଦଳ ମଧ୍ୟରେ ପ୍ରଚାର କରୁଛନ୍ତି। ଏହାକୁ ବିରୋଧ କରିବାରୁ ବିଧାୟକଙ୍କ ସହ ଯାଉଥିବା ଗୋଷ୍ଠୀ ଏବଂ ପ୍ରଚାର ଗାଡ଼ିକୁ ବିରୋଧ କରୁଥିବା ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଏହା ମାରପିଟ୍‌ରେ ପରିଣତ ହୋଇଥିଲା।

Share