ଟାଇମ୍ସ ସ୍କୋୟାର ଡିସ୍‌ପ୍ଲେକୁ ଆମେରିକାରେ ବିରୋଧ

ନ୍ୟୁୟର୍କ,୩ା୮: ଅଗଷ୍ଟ ୫ରେ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣର ଗ୍ରାଉଣ୍ଡବ୍ରେକିଂ ସେରେମନି ହେବ। ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ଭାଜପା ନେତା ଯୋଗଦେବେ। ଏହି ଦିନ ଆମେରିକାର ନ୍ୟୁୟର୍କ ସହରସ୍ଥିତ ଟାଇମ୍ସ ସ୍କୋୟାରରେ ରାମଙ୍କ ଛବି ସହ ଅଯୋଧ୍ୟାରେ ପ୍ରସ୍ତାବିତ ମନ୍ଦିରର ଥ୍ରୀ-ଡି ପୋଟ୍ରେଟ୍‌ ପ୍ରଦର୍ଶନ କରାଯିବା ପାଇଁ ସ୍ଥିର ହୋଇଛି। ଏହାକୁ ଆମେରିକାରେ ଘୋର ବିରୋଧ କରାଯାଇଛି। ୨୦ଟି ସଙ୍ଗଠନ ଓ ବହୁ ସଂଖ୍ୟକ ବ୍ୟକ୍ତିବିଶେଷ ଏନେଇ ନ୍ୟୁୟର୍କ ମେୟର ବିଲ୍‌ ଡି ବ୍ଲାସିଓଙ୍କୁ ପତ୍ର ଲେଖି ଏଭଳି ଡିସ୍‌ପ୍ଲେ ନ କରାଇବାକୁ ଅନୁରୋଧ କରିଛନ୍ତି।
ଟାଇମ୍ସ ସ୍କୋୟାରରେ ଇସ୍‌ଲାମ ପ୍ରତି ଭୟ ଓ ଘୃଣା ସୃଷ୍ଟିକାରୀ ଏକ ବିଲ୍‌ବୋର୍ଡ ଲଗାଇବା ପାଇଁ ଯୋଜନା ଚାଲିଛି। ନ୍ୟୁୟର୍କରେ ରହୁଥିବା ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ମାନବିକତାରୁ ବଞ୍ଚତ୍ତ କରିବା ଏବଂ ଭାରତରେ ସଂଖ୍ୟାଲଘୁଙ୍କ ବିରୋଧରେ ମାନବାଧିକାର ଉଲ୍ଲଂଘନକୁ ପ୍ରୋତ୍ସାହନ ଦେବା ପାଇଁ ଏହା ଉଦ୍ଦିଷ୍ଟ ବୋଲି ସ୍ବାକ୍ଷରକାରୀମାନେ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି। ଆମ ମେଣ୍ଟ ଭାରତରେ ଭାଜପା ସରକାରଙ୍କ ହିନ୍ଦୁତ୍ୱ ଜାତୀୟତାବାଦକୁ ବିରୋଧ କରେ। ସମାବେଶୀ ତଥା ସମତାବାଦୀ ମୂଲ୍ୟବୋଧକୁ ପ୍ରୋତ୍ସାହନ ଦେଉଥିବା ନ୍ୟୁୟର୍କ ସିଟି ଏପରି ଘୃଣ୍ୟ ତଥା ଇସ୍‌ଲାମୋଫୋବିଆ ସୃଷ୍ଟିକାରୀ ଉତ୍ସବକୁ କିପରି ପାଳନ କରିବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ସ୍ବାକ୍ଷରକାରୀଙ୍କ ମଧ୍ୟରେ ହିନ୍ଦୁଜ୍‌ ଫର୍‌ ହ୍ୟୁମାନ ରାଇଟ୍ସ ଆଣ୍ଡ କୋଲିଶନ ଏଗେନ୍‌ଷ୍ଟ ଫାସିଜମ୍‌ ଇନ୍‌ ଇଣ୍ଡିଆର ସଦସ୍ୟ ରହିଛନ୍ତି। ସ୍ବାକ୍ଷରକାରୀ ବୁଦ୍ଧିଜୀବୀ ଓ ନାଗରିକମାନେ ବାବ୍ରି ମସ୍‌ଜିଦ ଭଙ୍ଗା ଘଟଣାକୁ ମଧ୍ୟ ନିନ୍ଦା କରିଛନ୍ତି। ୪୨୫ ବର୍ଷ ପୁରୁଣା ମସ୍‌ଜିଦ ଭଙ୍ଗାଯିବା ପରେ ଘଟିଥିବା ସାମ୍ପ୍ରଦାୟିକ ହିଂସାରେ ପ୍ରାୟ ୩,୦୦୦ ଲୋକ ପ୍ରାଣ ହରାଇଥିଲେ।

Share