ଟିକିରି, ୩୦।୧୨(ଡି.ଏନ୍.ଏ.): ଅନେକ ଦିନର ଦାବି ପରେ ରାୟଗଡ଼ା ଜିଲା କାଶୀପୁରରେ ଖୋଲାଯାଇଥିବା ଏକଲବ୍ୟ ବିଦ୍ୟାଳୟକୁ ଏବେ ୫୦ କି.ମି. ଦୂରକୁ ସ୍ଥାନାନ୍ତର କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ବିରୋଧରେ ଶୁକ୍ରବାର କାଶୀପୁର ବ୍ଲକର ଶତାଧିକ ଲୋକ, ରାଜନେତାଙ୍କ ସମେତ ବୁଦ୍ଧିଜୀବୀ ଓ ସାମାଜିକ କର୍ମୀ ଏକାଠି ହୋଇ ପ୍ରଶାସନ ବିରୋଧରେ ନାରାବାଜି କରିଥିଲେ। କାଶୀପୁର ବ୍ଲକ କାର୍ଯ୍ୟାଳୟରେ ଏବିଡିଓ ପଦ୍ମିନୀ କହଁରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେଇଥିଲେ।
ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ପର୍ଯ୍ୟବେକ୍ଷକ ଦଳ ଓ ସ୍ଥାନୀୟ ତହସିଲଦାର ମିଳିତଭାବେ କାଶୀପୁରସ୍ଥ ନୋକଟି ଘାଟି ମନ୍ଦିର ନିକଟରେ ଥିବା ସରକାରୀ ଜାଗା ସ୍କୁଲ ପାଇଁ ଚିହ୍ନଟ କରିଥିଲେ। ଏହା ସତ୍ତ୍ୱେ ବିଦ୍ୟାଳୟଟିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି। ଏହାକୁ ଅଞ୍ଚଳବାସୀ ବିରୋଧ କରୁଛନ୍ତି ବୋଲି ଉକ୍ତ ଦାବିପତ୍ରରେ ଉଲ୍ଲେଖ ରହିଛି। କାଶୀପୁର ସଦରରେ ସ୍କୁଲ କରା ନ ଗଲେ ଅଞ୍ଚଳବାସୀ ସରକାର ଓ ପ୍ରଶାସନ ବିରୋଧରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଦାବିପତ୍ରରେ ଚେତାବନୀ ଦିଆଯାଇଛି। ପ୍ରଶାସନ ଓ ରାଜନେତାଙ୍କ ଦୁର୍ବଳତା ଏବଂ ମନମୁଖି କାର୍ଯ୍ୟ ବର୍ତ୍ତମାନ ଲୋକଲୋଚନକୁ ଆସିବାରେ ଲାଗିଛି। ହଜାର ହଜାର ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ଦିଆଯାଉଛି ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ପ୍ରତିବାଦ ଓ ଦାବିପତ୍ର ପ୍ରଦାନ ବେଳେ ତଳଝିରି ପଞ୍ଚାୟତର ହିଂଦା ମାଝି, ଜୟ ସିଂ ମାଝି, ମୁନୁଷଗାଁ ପଞ୍ଚାୟତର ଜୟ ମାଝି, ଖୁରିଗାଁ ପଞ୍ଚାୟତର ସାମାଜିକ କର୍ମୀ ବିଶ୍ୱମ୍ବର ନାଏକ, କାଶୀପୁର ପଞ୍ଚାୟତର ପାଇଲ ମାଝି, ମହେଶ୍ୱର ମାଝି, ପୁରନ୍ଦର ନାଏକ, ଜଗବନ୍ଧୁ ନାଏକ, ମିଥୁନ ନାଏକ, ଭାଲୁ ବୈଦ୍ୟଙ୍କ ସହ ୧୬ ପଞ୍ଚାୟତର ଲୋକ ଉପସ୍ଥିତ ଥିଲେ।