Categories: ଜାତୀୟ

୧୧ ଦ୍ୱୀପପୁଞ୍ଜରେ ବିଛାଯିବ ଅପ୍ଟିକାଲ ଫାଇବର

ନୂଆଦିଲ୍ଲୀ,୧୦ା୧୨: ଦେଶର ସବୁ ସ୍ଥାନରେ ସହଜରେ ଇଣ୍ଟରନେଟ ଆକ୍‌ସେସ ପାଇଁ ବୁଧବାର କେନ୍ଦ୍ର କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାର୍ବଜନୀନ ଓ୍ବାଇ-ଫାଇ ଆକ୍‌ସେସ ଇଣ୍ଟରଫେସ ବା ପିଏମ୍‌ ବାଣୀକୁ ମଞ୍ଜୁରୀ ମିଳିଛି। ଏହି ନିଷ୍ପତ୍ତି ଅନୁଯାୟୀ, ଦେଶର ବିିଭିନ୍ନ ସ୍ଥାନରେ ସାର୍ବଜନୀନ ଡାଟା କେନ୍ଦ୍ର ଖୋଲାଯିବ। ଏହି ସେଣ୍ଟର ଖୋଲିବା ପାଇଁ କୌଣସି ଲାଇସେନ୍ସ ବା ଦେୟ ଦେବାକୁ ପଡିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି। ବିଶେଷ କରି ଉତ୍ତର ପୂର୍ବ ଭାରତରେ ବ୍ରଡବ୍ୟାଣ୍ଡ ସଂଯୋଗ ସହ ୪ଜି ସେବା ଯୋଗାଯିବା ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି। ଲାକ୍ଷାଦ୍ୱୀପ ସମେତ ୧୧ ଦ୍ୱୀପପୁଞ୍ଜରେ ହାଇସ୍ପିଡ ଇଣ୍ଟରନେଟ ସେବା ସହ ଅପ୍ଟିକାଲ ଫାଇବର ନିଷ୍ପତ୍ତି ହୋଇଛି। କୋଚି ଓ ଲାକ୍ଷାଦ୍ୱୀପ ମଧ୍ୟରେ ଅପ୍ଟିକାଲ କେବଲ ସଂଯୋଗ କରାଯିବ। ଅରୁଣାଚଳ ପ୍ରଦେଶ ଓ ଆସାମର ଦୁଇଟି ଜିଲାରେ ମୋବାଇଲ କଭରେଜ ପାଇଁ କ୍ୟାବିନେଟ ୟୁଏସ୍‌ଓଏଫ୍‌ ଯୋଜନାକୁ ଅନୁମୋଦନ ଦେଇଛି। ୨,୩୭୪ ଗାଁରେ ଏହି ଯୋଜନାରେ ଲୋକେ ସେବା ପାଇବେ। ଏଥିସହ ଆତ୍ମନିର୍ଭର ଭାରତ ରୋଜଗାର ଯୋଜନାରେ କ୍ୟାବିନେଟ ୨୨ ହଜାର ୮୧ଶହ କୋଟି ଟଙ୍କା ଅନୁମୋଦନ କରିଛି।

Share