ମହାକାଳପଡ଼ା,୨୪ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗୋବରୀ ନଦୀର ଉପର ମୁଣ୍ଡରୁ ଜଳ ସ୍ରୋତ ହ୍ରାସ ପାଇବା ଯୋଗୁ ଅନେକ ସ୍ଥାନରେ ବାଲି ପଙ୍କ ମାଟି ଜମିବା ଯୋଗୁ ପଠା ସୃଷ୍ଟି ହୋଇଛି। ଫଳରେ ଉପର ମୁଣ୍ଡରୁ ଜଳ ପ୍ରବାହ ହ୍ରାସ ପାଇବାରେ ଲାଗିଛି। ଚାଷ ଜମିକୁ ଜଳସେଚନରେ ବାଧକ ସାଜିଛି। ସ୍ଥାନୀୟ ଲୋକମାନଙ୍କ କହିବା କଥା, ଓରତ ଘାଟ ନିକଟରେ ସେତୁ ନିର୍ମାଣ କରାଯିବା ସମୟରେ ଖମ୍ବ ଖନନ ବେଳେ ବଡ଼ ବଡ଼ କ୍ରେନ୍ରେ ମାଟି ଖନନ କରି ଏହାକୁ ନିକଟରେ ଢାଳୁଥିଲେ। ଫଳରେ ମାଟି,ବାଲି ପଙ୍କ ଜମି କୁଦ ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ପଠା ଦେଖିବାକୁ ମିଳିଥିଲା। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଓରତ ଘାଟ ନିକଟ ସେତୁର ଉଭୟ ପାର୍ଶ୍ୱରେ। କେତେକ ପଠାରେ ବଣ ବୁଦାଳିଆ ଜଙ୍ଗଲ ହୋଇଛି। ଫଳରେ ଏହି ପଠାରେ ଦେଶୀ ବିଦେଶୀ ପକ୍ଷୀଙ୍କ ସମାଗମ ହେଉଥିବା ବେଳେ ବୁଦାମୂଳେ ବଉଳା କୁମ୍ଭୀରଙ୍କ ଆଡ୍ଡା ଜମିଥିବା ଦେଖିବାକୁ ମିଳୁଛି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି। ଗୋବରୀ ନଦୀରୁ କିଛିବର୍ଷ ପୂର୍ବେ ସ୍ଥାନୀୟ ଧୀବରମାନେ ବଡ ମାଛ ଭେକ୍ଟା, ରୋହି, ଭାକୁର, ଖଙ୍ଗା, ଇଲିଶ, ଚିଙ୍ଗୁଡ଼ି ମାଛ ଓ କଙ୍କଡ଼ା ଆଦି ପ୍ରଚୁର ପରିମାଣରେ ଧରୁଥିଲେ। ଏବେ ନଦୀର ଜଳ ସ୍ରୋତ ହ୍ରାସ ପାଇବା ପରେ ନଦୀରୁ ମାଛ ସଂଖ୍ୟା ଆଶାନୁରୂପ ଭାବେ କମିଛି। ପୂର୍ବରୁ ଧୀବରମାନେ ଦୈନିକ ୫ ହଜାର ଟଙ୍କାରୁ ଅଧିକ ମୂଲ୍ୟର ମାଛ ଧରୁଥିଲେ। ଏବେ ନିଜ ମଜୁରି ଉଠୁ ନ ଥିବା କେତେଜଣ ଧୀବର କହିଛନ୍ତି।
ଅପରପକ୍ଷରେ ଏହି ନଦୀପଠାରେ ବର୍ଷ ସାରା ବିଭିନ୍ନ ପ୍ରଜାତିର ଦେଶୀ ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଥାଏ। ଅପରପକ୍ଷରେ ଏହି ଓରତ ଘାଟ ଡଙ୍ଗା ପାର କରିବା ପାଇଁ ଦୀର୍ଘବର୍ଷ ଧରି କେଉଁ ରାଜରାଜୁଡ଼ା ଅମଳରୁ ଯାତ୍ରୀବାହୀ ଡଙ୍ଗା ଚଳପ୍ରଚଳ କରିଥିଲା। ଏହି ଅଞ୍ଚଳର କେତେଜଣ ଉଦ୍ୟମୀ ଯୁବକ ଓରତ ଘାଟ ସେତୁ ସଂଘର୍ଷ କମିଟି ଗଠନ କରିବା ପରେ ୧୯୯୦ରୁ ୯୫ ମସିହାରେ ଜନତା ଦଳ ସରକାରଙ୍କ ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ତତ୍କାଳୀନ ପୂର୍ତ୍ତ ମନ୍ତ୍ରୀ ନଳିନୀକାନ୍ତ ମହାନ୍ତିଙ୍କ ନିକଟରେ ଅଭିଯୋଗପତ୍ର ପ୍ରଦାନ କରିଥିଲେ। ବିଜୁ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ପରବର୍ତ୍ତୀ ସମୟରେ ଏହି ଓରତ ଘାଟଠାରେ ଏକ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ତଥା ବର୍ତ୍ତମାନର ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସହଯୋଗରେ ୨୦୦୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ବହୁଚର୍ଚ୍ଚିତ ଓରତ ଘାଟ ସେତୁ ଲୋକାର୍ପିତ ହୋଇଥିଲା। ଏହି ସେତୁ ନିର୍ମାଣ ହେବା ପରେ ବ୍ଲକର ୧୦ଟି ପଞ୍ଚାୟତର ଲୋକମାନଙ୍କ ସିଧାସଳଖ ବ୍ଲକ ମୁଖ୍ୟ କାର୍ଯ୍ୟାଳୟକୁ ଯାତାୟାତର ସୁବିଧା ହେଲା। ଏହି ସେତୁ ଦେଇ ରାଜନଗର ଓ ପଟ୍ଟାମୁଣ୍ଡାଇ ଅଞ୍ଚଳକୁ ସିଧାସଳଖ ଗମନାଗମନ ହୋଇପାରୁଛି। ସ୍ଥାନୀୟ ଲୋକମାନେ କହିଛନ୍ତି, ସେତୁ ୨ ପାର୍ଶ୍ୱରେ ଥିବା ମାଟି ବାଲି ପଙ୍କ ଖନନ ବା ଡ୍ରେଜିଂ କରାଗଲେ, ନଦୀ ଜଳ ସ୍ରୋତ ସ୍ବାଭାବିକ ଅବସ୍ଥାକୁ ଫେରି ଆସିବ। ଫଳରେ ଚାଷ ଜମିକୁ ଜଳସେଚନ ସୁବିଧାରେ ମିଳିବ ବୋଲି କେତେଜଣ ଚାଷୀ କହିଛନ୍ତି। ଏହି ନଦୀକୂଳିଆ ଲୋକମାନଙ୍କର ସ୍ନାନ କରିବାକୁ ବଉଳା କୁମ୍ଭୀର ଆକ୍ରମଣ ଭୟ ରହିଛି ବୋଲି କୁହାଯାଇଛି। ଏହି ନଦୀଘାଟ ନିକଟ ବାଲି ପଙ୍କ ମାଟି ପଠା ଡ୍ରେଜିଂ କରାଯିବା ସମ୍ପର୍କରେ କେନ୍ଦ୍ରାପଡା ଜଳସେଚନ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀଙ୍କୁ ପଚାରିବାରେ ଉକ୍ତ ଘାଟ ନିକଟରେ ପଠା ହୋଇଥିବା ନେଇ ଖବର ନାହିଁ। ଘଟଣାସ୍ଥଳ ପରିଦର୍ଶନ କରିବା ପରେ ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।