ଅର୍କିଡ ! ତା’ର ସୌନ୍ଦର୍ଯ୍ୟରେ କାହାକୁ ବା ବିମୋହିତ ନ କରେ। ଏହା ଦେଖିବାକୁ ଯେମିିତି ସୁନ୍ଦର ସେମିତି ସତେଜ୍ ରହିବାରେ ବି ଦୀର୍ଘସ୍ଥାୟୀ। ଏହି ଫୁଲ ଥରେ ଫୁଟିଲେ ମାସେ ଦେଢ଼ ମାସ ଯାଏ ସେମିତି ସତେଜ ରହିଥାଏ। ତେବେ ଦିନେ ଓଡ଼ିଶାର ଜଳବାୟୁରେ ଅର୍କିଡ ଫୁଟିବ କି ନାହିଁ ତାହା ଅନେକେ ଭାବୁଥିଲେ। ହେଲେ ଓଡ଼ିଶାର ଜଳବାୟୁରେ ଭଲ ବଢ଼ି ପାରୁଥିବା ଚାରା ଚୟନ ସହ ଉପଯୁକ୍ତ ଯତ୍ନ ଯୋଗୁ ଆଉ ଏଠାରେ ଅପହଞ୍ଚ ହୋଇ ରହିନି ଅର୍କିଡ।
ଅର୍କିଡ ମାୟାରେ ଜୟା : ପିଲାଦିନୁ ହିଁ ତାଙ୍କର ଗଛ ପ୍ରତି ଥିଲା ଦୁର୍ବଳତା। ଗଛଟିଏ ଲଗାଇବା ତାହାର ଯତ୍ନ ନେବାରେ ହିଁ ଥିଲା ତାଙ୍କର ଖୁସି। ଆଉ ସେହି ଖୁସି ପାଇଁ ତାଙ୍କ ବଗିଚାରେ ଏବେ ହଜାର ହଜାର ଗଛ। ଭିନ୍ନ ଭିନ୍ନ ପ୍ରକାରର ଦେଶୀ ବିଦେଶୀ ଫୁଲରୁ ଆରମ୍ଭ କରି ୫୦୦ରୁ ଊର୍ଦ୍ଧ୍ୱ ବୋନସାଇ ଓ ୬୦୦ରୁ ଊର୍ଦ୍ଧ୍ୱ ଅର୍କିଡ ଏବେ ତାଙ୍କ ବଗିଚାରେ। ଏ ହେଲେ ଜୟା ଜେନା। ମାଲକାନଗିରିର ଚିତ୍ରକୋଣ୍ଡାରେ ଜନ୍ମିତ ଜୟାଙ୍କର ପିଲାବେଳ କଟିଛି କୋରାପୁଟରେ। ତାଙ୍କର ବାପା ସେଠାରେ ଇଞ୍ଜିନିୟର ଥିଲେ। ସେହି ଛୋଟ ବେଳୁ ହିଁ ଜୟା ଗଛ ଲଗାଇବାକୁ ଖୁବ୍ ଭଲ ପାଉଥିଲେ। ସମୟକ୍ରମେ ୧୯୯୩ରେ ବିବାହ ପରେ ସେ କଳାହାଣ୍ଡି ଆସନ୍ତି ଆଉ ସେଠାରେ ଗଛ ଲଗାଇବା ଆରମ୍ଭ କରନ୍ତି। ସ୍ବାମୀଙ୍କ ଚାକିରି ପାଇଁ ତାଙ୍କୁ ବିଭିନ୍ନ ଜାଗାକୁ ବଦଳି ହେବାକୁ ପଡିଥାଏ। ଯୁଆଡେ ଯାଇଛନ୍ତି ତାଙ୍କ ପ୍ରିୟ ଗଛମାନଙ୍କୁ ସାଙ୍ଗରେ ନେଇ ଯାଇଛନ୍ତି। ୧୯୯୪ରେ ଜୟା ପ୍ରଥମେ ଗୋଟିଏ ଓସ୍ତ ଗଛ ବୋନସାଇ ଆରମ୍ଭ କରନ୍ତି, ଯାହା ଏବେ ବି ତାଙ୍କ ପାଖରେ ଅଛି। ଏବେ ତାଙ୍କ ପାଖରେ ପ୍ରାୟ ବିଭିନ୍ନ ଗଛର ୫୦୦ରୁ ଊର୍ଦ୍ଧ୍ୱ ବୋନସାଇ। ତେବେ ୨୦୧୦ ବେଳକୁ ଜୟା ପ୍ରଥମେ ତାଙ୍କ ବଗିଚାକୁ ଆଣନ୍ତି ଅର୍କିଡ। ବାଙ୍ଗାଲୋରରୁ ପ୍ରଥମେ ସେ ଆଣିଥିଲେ ଅର୍କିଡ। ତା’ପରେ କୋଲକାତା ଆଦି ବିଭିନ୍ନ ଜାଗାରୁ ଅର୍କିଡ ସଂଗ୍ରହ କରିବା ସହିତ ଖୁବ୍ ଯତ୍ନରେ ଗଛ ବଢ଼େଇଲେ। କିନ୍ତୁ ଦୁଇ ବର୍ଷ ଯାଏ ଫୁଲ ଆସିଲା ନାହିଁ। ଜୟା କୁହନ୍ତି, ‘ଖୁବ୍ ମନଦୁଃଖ ହେଉଥାଏ। ତଥାପି ଫଙ୍ଗିସାଇଡ୍ ସ୍ପ୍ରେ କରିବା ସହିତ ଫର୍ଟିଲାଇଜର ସ୍ପ୍ରେ କରୁଥାଏ। ଦିନେ ବଗିଚାରେ ବୁଲୁବୁଲୁ ଦେଖିଲି ଗୋଟିଏ ଗଛରେ କଢ଼ ଆସିଛି। ତା’ପରେ ସବୁ ଗଛରେ ପ୍ରାୟ କଢ଼ ଆସିଗଲା। ସେବେଠାରୁ ଆଉ କେବେ ଫୁଲ ବନ୍ଦ ହୋଇନାହିଁ। ଅନ୍ୟଗଛ ତୁଳନାରେ ଅର୍କିଡର ଯତ୍ନ ଟିକେ ଅଲଗା। ଏହି ଗଛ ପାଇଁ ଠିକ୍ ପରିମାଣର ସୂର୍ଯ୍ୟାଲୋକ ସହ ବାୟୁ, ପାଣି ଓ ଆର୍ଦ୍ରତା ଆବଶ୍ୟକ। ପ୍ରତିଦିନ ଗଛମାନଙ୍କରେ ପାଣି ସ୍ପ୍ରେ କରିବା ସହିତ ନିୟମିତ ବ୍ୟବଧାନରେ ଫର୍ଟିଲାଇଜର, ଫଙ୍ଗିସାଇଡ୍, ବ୍ୟାକ୍ଟେରିଆସାଇଡ୍ ଏବଂ ଇନ୍ସେକ୍ଟିସାଇଡ ସ୍ପ୍ରେ କରାଯାଏ, ଯାହାଦ୍ୱାରା ଗଛ ପୋଷକତତ୍ତ୍ୱ ପାଇବା ସହ ରୋଗମୁକ୍ତ ରୁହେ। ଅର୍କିଡ ପାଇଁ ମୁଁ ଶେଡ୍ ତିଆରି କରିଛି। ଶେଡ୍ରେ ରହିଲେ ହିଁ ଅର୍କିଡ ଭଲ ରହିପାରିବ। କାରଣ ଭୁବନେଶ୍ୱରର ଯାହା ତାପମାତ୍ରା ସିଧା ସୂର୍ଯ୍ୟକିରଣ ଅର୍କିଡ ପାଇଁ ଆଦୌ ଭଲ ନୁହେଁ। ତା’ଛଡା କୋଲକାତା ଏବଂ ବାଙ୍ଗାଲୋର ଅର୍କିଡ ଭୁବନେଶ୍ୱରର ଜଳବାୟୁରେ ଭଲ ବଢ଼ିପାରିବ। ସାଧାରଣତଃ ଡିସେମ୍ବରରୁ ମେ’ ମାସ ପର୍ଯ୍ୟନ୍ତ ଅର୍କିଡ ଫୁଲ ଆସିବାର ସମୟ। କିନ୍ତୁ ଉପଯୁକ୍ତ ଯତ୍ନରେ ରହିପାରିଲେ ସାରା ବର୍ଷ ବି ଫୁଲ ଆସିପାରିବ। ଏବେ ମୋ ପାଖରେ ଡେନ୍ଡ୍ରୋଡିୟମ, ଫେଲୋନେଫୋସିସ, ଭାଣ୍ଡା, ମକାରା, କ୍ୟାଟେଲିଆ ଆଦି ୭-୮ ପ୍ରକାରର ୫୦୦ରୁ ଊର୍ଦ୍ଧ୍ୱ ଅର୍କିଡ ରହିଛି। ଏଥିମଧ୍ୟରୁ ଫେଲୋନେଫୋସିସ୍ରେ ବର୍ଷସାରା ଫୁଲ ଫୁଟୁଥିବା ବେଳେ ଭାଣ୍ଡାରେ ବର୍ଷକୁ ଦୁଇ ଥର ଫୁଲ ଆସିଥାଏ। ଡେନ୍ଡ୍ରୋଡିୟମ ଫୁଲ ଆସିବା ପରେ ମରିଯାଏ। କିନ୍ତୁ ତା’ ମୂଳରୁ ନୂଆ ଗଛ ବାହାରିଥାଏ। ସାଧାରଣତଃ ନଡିଆକତା, କୋକପିଟ୍ ଓ କୋଇଲା ଆଦିରେ ଲଗାଯାଉଥିବା ଅର୍କିଡ ବାୟୁରୁ ଖାଦ୍ୟ ସଂଗ୍ରହ କରେ। ତେଣୁ ଜୟା ତାଙ୍କର ୬ ନମ୍ବର ସ୍ଥିତ କ୍ୱାର୍ଟର ଘର ଛାତ ଉପରେ ଓ ତଳେ ଶେଡ୍ କରି ଅର୍କିଡକୁ ଟଙ୍ଗେଇଛନ୍ତି। ଏହିଠାରେ ୧୧ ବର୍ଷ ରହିବା ଭିତରେ ତାଙ୍କ ଅର୍କିଡ ସଂଖ୍ୟା ବହୁତ ବଢ଼ିଛି। ସେ ଅର୍କିଡ ବିଭିନ୍ନ ଜାଗାରୁ ଆଣିବା ସହିତ ଅନ୍ଲାଇନରେ ମଧ୍ୟ ଗଛ ମଗାଇଥାଆନ୍ତି। ବାରମ୍ବାର ବାତ୍ୟା, ପବନ ହେବା ଆଦିରେ ତାଙ୍କର ଶେଡ୍ କ୍ଷତିଗ୍ରସ୍ତ ହୋଇଛି। ଗଛ ନଷ୍ଟ ହୋଇଯାଇଛି। କିନ୍ତୁ ଏ ସବୁ ଜୟାଙ୍କର ମନୋବଳ ଭାଙ୍ଗି ଦେଇନାହିଁ, କିନ୍ତୁ ଆହୁରି ସୁନ୍ଦର ହୋଇଉଠିଛି ତାଙ୍କ ବଗିଚା।
ଗ୍ରୀନ୍ଜୋନ୍ର ଇଚ୍ଛା
ହୋଟେଲ୍ ବ୍ୟବସାୟ କରନ୍ତି କିନ୍ତୁ ସବୁଜିମାର ସ୍ବପ୍ନ ଦେଖନ୍ତି। ତାଙ୍କ ଚାରିକଡର ଦୁନିଆକୁ କେମିତି ସବୁଜିମାରେ ପୂର୍ଣ୍ଣ କରିବେ, ସେଇଥିରେ ସେ ଲାଗିଥାନ୍ତି। ଇଏ ହେଲେ ଆଶିଷ ପାଲିତ। ଘର ଝାରସୁଗୁଡାରେ । ମାଇନିଂ କମ୍ପାନୀରେ ବିଭିନ୍ନ ପ୍ରୋଜେକ୍ଟରେ କାମ କରିବା ସହିତ ତାଙ୍କର ଝାରସୁଗୁଡାରେ ରହିଛି ହୋଟେଲ୍। ତେବେ ତାଙ୍କ ହୋଟେଲ୍ର ବିଶେଷତ୍ୱ ହେଉଛି ଏଠାରେ ସେ ଅର୍ଗାନିକ୍ ଫାର୍ମିଂ କରି ଏହି ପରିବାକୁ ସେ ହୋଟେଲରେ ବ୍ୟବହାର କରନ୍ତି। ତା’ ସହିତ ହୋଟେଲସାରା ପ୍ଲାଷ୍ଟିକ୍ଫୁଲ ବଦଳରେ ବିଭିନ୍ନ ଗଛ ଓ ସତେଜ ଫୁଲରେ ହୋଟେଲକୁ ସଜାଇଛନ୍ତି। ବିଭିନ୍ନ ପ୍ରକାର ଗଛ ଲଗାଇବାରେ ରୁଚି ରଖୁଥିବା ଆଶିଷ ଲକ୍ଡାଉନ୍ ସମୟରେ କୋଲକାତାରେ ରହୁଥିବା ଡାକ୍ତର ସୌମେନ୍ଦ୍ର ହାଜରାଙ୍କ ଘରେ ଅର୍କିଡ୍ ଦେଖିବା ପରେ ଇଚ୍ଛା କଲେ ସେ ଅର୍କିଡ୍ ଲଗାଇବେ। ସୌମେନ୍ଦ୍ର ହିଁ ତାଙ୍କୁ ଅର୍କିଡ୍ ସମ୍ପର୍କରେ କହିବାପରେ ସେ ପ୍ରଥମେ ଥାଇଲାଣ୍ଡରୁ ଅର୍କିଡ୍ ମଗାଇଲେ। ତା’ପରେ ବାଙ୍ଗାଲୋର, କୋଲକାତା ଆଦି ବିଭିନ୍ନ ଜାଗାରୁ ଯାହା ନୂଆ ଭେରାଇଟି ଭଲ ଲାଗିଲା ତାକୁ ନେଇ ଆସନ୍ତି। ଗଛ ଲଗାଇବା ସହିତ ଗଛର ଉପଯୁକ୍ତ ଦାୟିତ୍ୱ ବି ନେଲେ; ଯାହା ଫଳରେ ଖୁବ୍ଶୀଘ୍ର ଫୁଲ ଆସିଗଲା। ଏବେ ତାଙ୍କ ପାଖରେ ବାର ତେରଟା ଭେରାଇଟିର ୫୦୦୦ରୁ ଊର୍ଦ୍ଧ୍ୱ ଅର୍କିଡ୍ ରହିଛି। ଏସବୁ ଭିତରେ ମୁଖ୍ୟତଃ ଡେନ୍ଡ୍ରୋଡିୟମ କାଟାଲିଆ , ଫାଲାନୋପସିସ୍୍, ରିଙ୍କୁ ଷ୍ଟାଇଲ୍, ଅନ୍ସିଡିୟମ୍, ଭାଣ୍ଡା, ସିମବିଡିୟମ୍, ମିଲ୍ଟୋନିଆ ଆଦି ଅର୍କିଡ୍ ରହିଛି। ସେ ଅର୍କିଡ୍ ପାଇଁ ତିନୋଟି ବଡ ବଡ ଶେଡ୍ କରିଛନ୍ତି। ଆଶିଷଙ୍କର ଅଧିକାଂଶ ଅର୍କିଡ୍ ଥାଇଲାଣ୍ଡର । ଶେଡ୍ ସହ ଅର୍କିଡ୍ ପାଇଁ ସେ ସ୍ବତନ୍ତ୍ର କୁଣ୍ଡ ବି ତିଆରି କରିଛନ୍ତି। ନଡିଆକତା ଓ କୋକୋପିଟ୍ ଛଡା କୋଇଲାରେ ଲଗାଇଲେ ଅର୍କିଡ୍ ଭଲ ୍ ହେଉଛି ବୋଲି କୁହନ୍ତି ଆଶିଷ। ଗଛ ସବୁର ଯତ୍ନ ନେବା ପାଇଁ ୧୦ଜଣ ମାଳୀ ଥିଲେ ବି ଅର୍କିଡ୍ର ଦେଖାଶୁଣା ସେ ନିଜେ ହିଁ ସେ କରନ୍ତି। ଅର୍କିଡ୍ ଛଡା ତାଙ୍କ ବଗଚାରେ ୧୧୦ପ୍ରକାରର ହୋୟା ରଖିଛନ୍ତି। ସେମିତି ଆନ୍ଥୁରିୟମ୍ର ପ୍ରାୟ ସବୁ ପ୍ରଜାତି ସହ ଆଗ୍ଲୋନିମା, ବିଭିନ୍ନ ପ୍ରକାରର ଇଣ୍ଡୋର ପ୍ଲାଣ୍ଟ ଓ ଦେଶୀ ବିଦେଶୀ ପ୍ରାୟ ବହୁତ ପ୍ରକାରର ଫୁଲ ଗଛ ରହିଛି। ପ୍ରାୟ ୧୫୦୦୦ରୁ ଊର୍ଦ୍ଧ୍ୱ ଗଛ ତାଙ୍କ ବଗିଚାରେ ରହିବା ସହ ଦେଶି ବିଦେଶୀ ବିଭିନ୍ନ ପ୍ରଜାତିର ପକ୍ଷୀ ରଖିଛନ୍ତି। ଆଶିଷଙ୍କର ଇଚ୍ଛା ଘର ଆଉ ହୋଟେଲକୁ ଗ୍ରୀନ୍ଜୋନ୍ କରିବା ସହ ଯେତେ ସମ୍ଭବ ସବୁ ପ୍ରଜାତିର ଅର୍କିଡ୍ ଆଣି ଲଗାଇବେ।
ଅର୍କିଡ ଦେଇଛି ରୋଜଗାର: ଗଞ୍ଜାମ ଜିଲା ସନ୍ତୋଷପୁର ପଞ୍ଚାୟତ ସାତୁଳୀ ଗ୍ରାମକୁ ଯିବା ରାସ୍ତା କଡ଼ରେ ଦେଖିବାକୁ ମିଳେ ଅର୍କିଡ ଫୁଲର ସମ୍ଭାର। ଭୁବନେଶ୍ୱରଠାରୁ ହୁମା ୧୨୬ କିମି ଆସିବା ପରେ ସେଠାରୁ ମାତ୍ର ୪ କି.ମି ପୁରୁଷୋତ୍ତମପୁର ଯିବା ରାସ୍ତା ଲୁଂଘୁରି ଗ୍ରାମ ପରେ ଏକ ବୁଲାଣିଆ ରାସ୍ତା ପଡିବ। କିଛି ବାଟ ଯିବା ପରେ ଏହି ଅର୍କିଡଫୁଲର କିଆରି। ବିନା ମାଟିରେ ହେଉଥିବା ଏହି ଗଛର ଫୁଲ ଦେଖିବାକୁ ଯେତିକି ସୁନ୍ଦର ଆଉ ତା’ର ଦାମ୍ ମଧ୍ୟ ସେତିକି ଅଧିକ। ମୁଖ୍ୟତଃ ଥାଇଲାଣ୍ଡରୁ ଆସୁଥିବା ଏହି ଗୋଟିଏ ଗଛର ଦାମ୍ ଗୋଟିଏ ଡଲାର ଅର୍ଥାତ ଭାରତରେ ସତୁରି ଟଙ୍କା। ଗୋଟିଏ ଗଛ ପ୍ରାୟ ତିନି ବର୍ଷରୁ ଚାରି ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହୁଛି। ଆଉ ଗୋଟିଏ ଗଛରୁ ପ୍ରାୟ ବର୍ଷକରେ ୯ ଥର ଫୁଟିଥାଏ। ଗଞ୍ଜାମରେ ଅର୍କିଡ୍ ଫୁଲକୁ ବ୍ୟବସାୟ ଉଦ୍ଦେଶ୍ୟରେ କରିଛିନ୍ତି କିଛି ଚାଷୀ। ସେମିତି ଜଣେ ଚାଷୀ ହେଲେ ସନ୍ତୋଷପୁର ପଞ୍ଚାୟତ ସାତୁଳୀ ଗ୍ରାମର ସୁଦାମ ଜେନା। ସେ କୁହନ୍ତି, ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ ବାପା ଚାଲିଗଲେ । ଅଭାବ ଅନଟନ ଯୋଗୁ ପାଠପଢା ଛାଡି ଗାଁ ପିଲାଙ୍କ ସହ କାମ କରିବାକୁ ସୁରଟ ଚାଲି ଯାଇଥିଲି । କିଛି ବର୍ଷ ପରେ ଗାଁକୁ ଫେରି କ’ଣ କାମ କରିବି ଚିନ୍ତା କରୁଥିଲି। ଏହି ସମୟରେ କୋଲକାତାର ଜଣେ ବ୍ୟକ୍ତି ତା’ଙ୍କ ଗାଁରେ ଜାଗା କିଣି ଗୋଟେ ପ୍ରୋଜେକ୍ଟ କରି ଭାବୁଥିଲେ। ସୁଦାମ ତାଙ୍କ ସହ ମିଶିବା ପରେ ତାଙ୍କ ଅର୍କିଡ୍ ଚାଷ ଲାଗି ପ୍ରବର୍ତ୍ତାଇଥିଲେ। ସୁଦାମଙ୍କ କଥାରେ ରାଜି ହୋଇ ଉକ୍ତ ବ୍ୟକ୍ତି ଅର୍କିଡ୍ ଚାଷ ପାଇଁ ମନସ୍ଥ କଲେ। ଗ୍ରାମକୁ ଲାଗିଥିବା ସେହି ଦୁଇ ଏକର ଜମିରେ ୨୦୧୫ରୁ ସେ ଏହି ଚାଷ କରିଆସୁଛନ୍ତି। ପ୍ରଥମେ ଥାଇଲାଣ୍ଡରୁ ଗଛ ଆଣିବା ପରେ ମାଟିଠାରୁ ପ୍ରାୟ ତିନି ଫୁଟ ଉଚ୍ଚ ସିମେଣ୍ଟ ଖୁଣ୍ଟରେ ବାଡ଼ କରି ଗଛ ଲଗାଇଥିଲେ। ଅତ୍ୟଧିକ ଖରା ଯେମିତି ଗଛ ଉପରେ ନ ପଡେ ସେଥିପାଇଁ ଏକ ଶେଡ୍ ତିଆରି କରିଛନ୍ତି। ଗଛ ଉପରେ ଅଧିକ ଖରା ନ ପଡିବା ଲାଗି ଉପରେ କଳା ରଙ୍ଗର ଜାଲ ଆବୃତ୍ତ କରାଯାଇଛି। କାରଣ ଏହି ଗଛ ସିଧାସଳଖ ଖରା ସହିପାରେ ନାହିଁ। ବର୍ଷକୁ ଗୋଟିଏ ଗଛରେ ୯ ଥର ଫୁଲ ଫୁଟେ। ଗୋଟିଏ ଫୁଲର ଷ୍ଟିକ୍ ପିଛା ୧୦ ଟଙ୍କାରୁ ୧୬ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ବିଶେଷ କରି ଏହି ଫୁଲଗୁଡିକ ବିଭିନ୍ନ ସାଜସଜ୍ଜା ପାଇଁ ବ୍ୟବହାର ହୋଇଥାଏ। ଏହି ଫୁଲର ଚାହିଦା ଓଡିଶାରେ ଅପେକ୍ଷାକୃତ କମ ଥିବା ବେଳେ ମୁମ୍ବାଇ, କୋଲକାତା, ପଶ୍ଚିମବଙ୍ଗ ଓ ଅହମଦାବାଦ ଆଦି ରାଜ୍ୟଗୁଡିକରେ ବେଶି ଚାହିଦା ରହିଛି ବୋଲି କୁହନ୍ତି ସୁଦାମ । ଏହି ଫୁଲଗୁଡିକୁ ହୁମା ଫ୍ଲାୱାର ନାମରେ ପ୍ୟାକିଙ୍ଗ କରି ବାହାର ରାଜ୍ୟକୁ ପଠାଯାଉଛି। ଏଥିସହ ଅର୍ଡର ଥିଲେ ରାଉରକେଲା, ଭୁବନେଶ୍ୱର, ଖୋର୍ଦ୍ଧା, ବ୍ରହ୍ମପୁରକୁ ବସ ଯୋଗେ ମଧ୍ୟ ପଠାଯାଉଛି। ଗତ ତିନିବର୍ଷ ହେବ କରୋନା ଯୋଗୁ ଫୁଲ ବିକ୍ରି ହୋଇ ନ ପାରି ପ୍ରାୟ ୩୦-୪୦ ଲକ୍ଷ ଟଙ୍କା କ୍ଷତି ହୋଇଥିବା ସେ କହିଛନ୍ତ। ଏହି ଫୁଲ ଚାଷ ପାଇଁ ପ୍ରଶାସନ ସ୍ତରରେ କୌଣସି ପ୍ରୋତ୍ସାହନ ମିଳୁ ନ ଥିବା ସେ କହିଛନ୍ତି।
ଏହାବାଦ୍ ଓଡ଼ିଶାର ବିଭିନ୍ନ ଜାଗାରେ ଓ ଅଧିକାଂଶ ଘରେ ଦେଖିବାକୁ ବି ମିଳୁଛି ଅର୍କିଡ୍। ଅନେକେ ଏହାକୁ ସୌଖୀନ୍ ଭାବରେ ଲଗାଉଥିବା ବେଳେ ଅନେକଙ୍କ ପାଇଁ ଏହା ରୋଜଗାରର ମାଧ୍ୟମ ପାଲଟିଛି।
-ତଥ୍ୟ ବିଦ୍ୟାଧର ସାହୁ (ଗଞ୍ଜାମ)