ଚାଉଳ ପାଇଁ ଓଡ଼ିଆ କୃଷି ବୈଜ୍ଞାନିକ ପାଇବେ ଅନ୍ତର୍ଜାତୀୟ ପୁରସ୍କାର

ଭୁବନେଶ୍ୱର, ୭।୧୧(ଅସମାପିକା ସାହୁ):ବିଶ୍ୱ ଚାଉଳ ଶିଳ୍ପରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଆ କୃଷି ବୈଜ୍ଞାନିକ ଡ. ସମରେନ୍ଦୁ ମହାନ୍ତିଙ୍କୁ ‘ଓ୍ବାର୍ଲଡ ରାଇସ୍‌ ଇଣ୍ଡଷ୍ଟ୍ରି ଗ୍ଲୋବାଲ ସର୍ଭିସ୍‌ ଆଓ୍ବାର୍ଡ’ ମିଳିବ। ଆସନ୍ତା ୨୮ରୁ ୩୦ ତାରିଖ ମଧ୍ୟରେ ଫିଲିପାଇନ୍ସର ସେବୁଠାରେ ହେବାକୁ ଥିବା ବିଶ୍ୱ ଚାଉଳ ସମ୍ମିଳନୀରେ ତାଙ୍କୁ ଏହି ଅନ୍ତର୍ଜାତୀୟ ସମ୍ମାନରେ ସମ୍ମାନିତ କରାଯିବ। ଆନ୍ତର୍ଜାତିକ ଚାଉଳ ଗବେଷଣା ପ୍ରତିଷ୍ଠାନ(ଆଇଆର୍‌ଆର୍‌ଆଇ)ର ପୂର୍ବତନ ପ୍ରିନ୍ସିପାଲ ସାଇଣ୍ଟିଷ୍ଟ ତଥା ପ୍ରୋଗ୍ରାମ ଲିଡର ସମରେନ୍ଦୁ ମହାନ୍ତି ବର୍ତ୍ତମାନ ଆନ୍ତର୍ଜାତିକ ଆଳୁ କେନ୍ଦ୍ର(ସିଆଇପି)ରେ ଏସିଆ ଆଞ୍ଚଳିକ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ବଜାରକୁ ସୁରୁଖୁରୁରେ ଚଳାଇବା ପାଇଁ ଠିକ୍‌ ତଥ୍ୟ ଆଣିବାରେ ସେ ସରକାର ଓ ଚାଉଳ ଶିଳ୍ପ ସହ ମିଶି କାମ କରୁଛନ୍ତି। ସେ ମଧ୍ୟ ଅନେକ ଏସୀୟ ଦେଶର କୃଷକଙ୍କ ସହ ମିଶି ନୂତନ ଜ୍ଞାନ କୌଶଳ ଗ୍ରହଣ, ବିହନ ପ୍ରଣାଳୀ ବିକାଶ ଏବଂ ବଜାର ସଂଯୋଗୀକରଣ ମାଧ୍ୟମରେ ସେମାନଙ୍କ ଜୀବିକାରେ ଉନ୍ନତି ଆଣିବା ଦିଗରେ ପ୍ରମୁଖ ଭୂମିକା ନେଉଛନ୍ତି। ଧାନ ଓ ଆଳୁ ଫସଲ ପ୍ରଣାଳୀକୁ ନିରନ୍ତର ଭାବେ ବୃଦ୍ଧି କରିବା ଏବଂ କମ୍‌ ମୂଲ୍ୟର ଆଳୁ ମଞ୍ଜି ଉତ୍ପାଦନ ପ୍ରଯୁକ୍ତି ଆରମ୍ଭ ଓ ବୃଦ୍ଧି କରିବା ହେଉଛି ତାଙ୍କର ବର୍ତ୍ତମାନର ଲକ୍ଷ୍ୟ। ଡ. ମହାନ୍ତିଙ୍କ ପୈତୃକ ଘର ଯାଜପୁର ଜିଲା ବିଞ୍ଝାରପୁରରେ। ଦୀର୍ଘ ୩୨ବର୍ଷ ଧରି ଦେଶ ବାହାରେ ରହୁଥିଲେ ମଧ୍ୟ ଡ. ମହାନ୍ତି ଓଡ଼ିଶାରୁ ଆରମ୍ଭ ହୋଇଥିବା ସଫଳତାର ମୂଳଦୁଆକୁ ଭୁଲି ନାହାନ୍ତି। ଓଡ଼ିଶା ରାଜ୍ୟକୁ ଆଳୁ ଉତ୍ପାଦନରେ ଆତ୍ମନିର୍ଭରଶୀଳ କରିବାରେ ସରକାରଙ୍କ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ସହ କାର୍ଯ୍ୟ କରି ଆସୁଛନ୍ତି।

Share